ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ କାଙ୍ଗୁଲା ବେନ୍ତପୁର ପଞ୍ଚାୟତର ମୁଣ୍ଡହତା ଗାଁକୁ ନାହିଁ ସବୁଦିନିଆ ରାସ୍ତା। ଗାଁରେ ପ୍ରାୟ ୩୦ଟି ପରିବାର ବସବାସ କରୁଥିବା ବେଳେ ବର୍ଷା ଋତୁ ଆରମ୍ଭରୁ ସେମାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ବେନ୍ତପୁରରୁ ବରସିଂହା ଗାଁକୁ ପଡ଼ିଥିବା ମୁଖ୍ୟ ପିଚୁ ରାସ୍ତାରୁ ପ୍ରାୟ ୫ଶହ ମିଟର ଗଲେ ପଡ଼ିଥାଏ ଏହି ମୁଣ୍ଡହତା ଗାଁ। ଗାଁର ସମସ୍ତ ଲୋକ ଗରିବ ଶ୍ରେଣୀର ହୋଇଥିବା ବେଳେ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରିଥାନ୍ତି। ପଞ୍ଚାୟତର ୫ ନମ୍ବର ୱାର୍ଡ ଅନ୍ତର୍ଗତ ଏହି ଗାଁରେ ବସବାସ କରୁଥିବା ଲୋକେ ବର୍ଷବର୍ଷ ଧରି ଜନ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ହେଁ ଏଯାବତ କୌଣସି ସମସ୍ୟାର ସମାଧାନ ହୋଇପାରିନାହିଁ। ଆଣ୍ଠୁଏ ଆଣ୍ଠୁଏ କାଦୁଅ ପାଣିରେ ଲୋକେ ନିଜ ଘରକୁ ଯାତାୟାତ କରୁଥିବା ବେଳେ ପ୍ରତିଦିନ ପିଲାମାନେ ଏହି କର୍ଦ୍ଦମାକ୍ତ ରାସ୍ତା ଦେଇ ପାଠ ପଢ଼ିବାକୁ ବିଦ୍ୟାଳୟକୁ ଯାଇଥାନ୍ତି।
ଏଣୁ ପ୍ରଶାସନ ଦୃଷ୍ଟି ପକାଇବା ସହ ଗାଁକୁ ସବୁ ଦିନିଆ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଗାଁର ଦୁଷ୍ମନ୍ତ ନାଏକ, ମଧୁସୂଦନ ନାଏକ, ଲକ୍ଷ୍ମୀକାନ୍ତ ନାଏକ, ରୂପରାଜ ନାଏକ, ସନ୍ତୋଷ ନାଏକ ଗାଁକୁ ରାସ୍ତା ତିଆରି ପାଇଁ ଦାବି କରିଛନ୍ତି।