ମୁଖ୍ୟ ଖବର

ଜିଲ୍ଲା ଖଣିଜ ପାଣ୍ଠିର ନାହିଁ ସ୍ବଚ୍ଛତା! ୱେବସାଇଟରେ ଅପଡେଟ ହେଉନି ତଥ୍ୟ, ଅଭିଯୋଗ ପରେ ବି ଅଧିକାରୀ ନିଦାବିଷ୍ଣୁ

By Angul TV Bureau

July 12, 2025

ଅନୁଗୁଳ: ସରକାରୀ କାମରେ ନାହିଁ ସ୍ବଚ୍ଛତା। ମାଳମାଳ ଦୁର୍ନୀତିର ଗନ୍ଧ। ଅନୁଗୁଳ ଜିଲ୍ଲା ଖଣିଜ ପାଣ୍ଠି ଟ୍ରଷ୍ଟ ବିରୋଧରେ ଆସିଛି ସେହିଭଳି ଅଭିଯୋଗ, ଯାହା ଅଧିକାରୀଙ୍କ ଅଡୁଆ ବଢ଼ାଇଛି।

ସୂଚନାନୁଯାୟୀ, ଅନୁଗୁଳରେ ଲୋକଙ୍କ ହିତ ପାଇଁ ଲାଗୁ ହୋଇଥିଲା ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା। ଯୋଜନାକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଗଠନ ହୋଇଥିଲା ଜିଲ୍ଲା ଖଣିଜ ପାଣ୍ଠି ଟ୍ରଷ୍ଟ। ଏହି ଟ୍ରଷ୍ଟର କାମ ହେଲା ଖଣି ଖାଦାନ ଯୋଗୁଁ ପ୍ରଭାବିତ ଲୋକ ଓ ଅଞ୍ଚଳ ପାଇଁ ଉନ୍ନତିମୂଳକ କାମ କରିବା। ପ୍ରତ୍ୟେକ ଖଣି ଲିଜଧାରୀ ଦେଉଥିବା ରାଜସ୍ୱର ୩୦ ପ୍ରତିଶତ ରାଶି ଜିଲ୍ଲା ଖଣିଜ ପାଣ୍ଠି ଟ୍ରଷ୍ଟକୁ ପ୍ରତି ବର୍ଷ ପ୍ରଦାନ କରିବାକୁ ନିୟମ ଥିଲା। ଏହି ଟଙ୍କାକୁ ନେଇ ଟ୍ରଷ୍ଟ କାମ କରିବ। ଆଉ ଏଥିପାଇଁ ତାଳଚେର ଏମସିଏଲ ବର୍ଷକୁ କୋଟି କୋଟି ଟଙ୍କା ଟ୍ରଷ୍ଟକୁ ଦେଉଛି। କିନ୍ତୁ କାର୍ଯ୍ୟରେ ନାହିଁ ସ୍ୱଚ୍ଛତା। ଓଡ଼ିଶା ଜିଲ୍ଲା ଖଣିଜ ପାଣ୍ଠି ନିୟମର ଧାରା ୧୬ ଅନୁଯାୟୀ ଟ୍ରଷ୍ଟ ପ୍ରତି ବର୍ଷ ସମସ୍ତ ଖର୍ଚ୍ଚର ଅଡିଟ୍ କରି ସରକାରଙ୍କୁ ଦାଖଲ କରିବା ସହ ୱେବସାଇଟରେ ଏହି ତଥ୍ୟ ଅପଲୋଡ଼ କରିବା କଥା। କିନ୍ତୁ ୨୦୨୦-୨୧ ପରଠୁ କୌଣସି ତଥ୍ୟ ଅପଲୋଡ଼ କରାଯାଇନାହିଁ।

ସେହିଭଳି ୧୭(୨) ଅନୁଯାୟୀ ଏକ୍ଜିକ୍ୟୁଟିଭ କମିଟି ଓ ଟ୍ରଷ୍ଟ ବୋର୍ଡରେ ହୋଇଥିବା ସମସ୍ତ ମିଟିଂ ଓ ନିଆଯାଇଥିବା ନିଷ୍ପତ୍ତିର ବିବରଣୀ ୱେବସାଇଟରେ ଅପଲୋଡ଼ ହେବା କଥା କିନ୍ତୁ ୨୦୨୦ ପରଠାରୁ କୌଣସି ତଥ୍ୟ ଅପଲୋଡ଼ ହୋଇନାହିଁ। ସେହିଭଳି ପ୍ରତ୍ୟେକ କାମର ୱାର୍କ୍ଅର୍ଡର, ବଜେଟ୍, ପ୍ଲାନ୍, ଏଷ୍ଟିମେଟର ସମସ୍ତ ତଥ୍ୟ ଅପଲୋଡ ହେବା ବାଧ୍ୟତାମୂଳକ। କିନ୍ତୁ ୨୦୧୫ ରୁ ସେ କାମ ବି ବନ୍ଦ।

ଏହାକୁ ନେଇ ତାଳଚେରର ସୂଚନା ଅଧିକାର କର୍ମୀ ଦେବପ୍ରସାଦ ସାହୁ ୦୯ ଜୁଲାଇ ୨୦୨୪ ରେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗରେ ଜିଲ୍ଲା ପରିଷଦ ଅଧିକାରୀଙ୍କୁ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ହୋଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିଲା ନାହିଁ, ଯାହା ପ୍ରାଶାସନିକ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।