ଅନୁଗୁଳ: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳ ନିଜ ରଣନୀତିରେ କିଛିଟା ପରିବର୍ତ୍ତନ କରୁଛି। ଏହି ଅଦଳବଦଳ ତୃଣମୂଳ ସ୍ତରରେ ଆରମ୍ଭ ହୋଇସାରିଲାଣି। ନିକଟରେ ବିଜେଡି ପକ୍ଷରୁ ରାଜ୍ୟ ଯୁବ ଓ ଛାତ୍ର ସଂଗଠନର ନବ କଳେବର କରାଯାଇ ନୂଆ ନେତାଙ୍କୁ କାର୍ଯ୍ୟ ଭାର ପ୍ରଦାନ କରାଯାଇଛି। ବିଜେଡି ସୁପ୍ରିମୋ ଦଳକୁ ଅଧିକ ମଜଭୁତ କରିବାକୁ ଜିଲ୍ଲା ସ୍ତରରେ ମଧ୍ୟ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଧାରାରେ ଅନୁଗୁଳ ଜିଲ୍ଲାରେ ମଧ୍ୟ ଶାସକ ଦଳର ଜିଲ୍ଲା ସଭାପତି ବଦଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ବର୍ତ୍ତମାନ ଜିଲ୍ଲା ବିଜେଡି ସଭାପତି ଭାବେ ମହେନ୍ଦ୍ର ବସ୍ତିଆ କାମ କରୁଥିବା ବେଳେ ତାଙ୍କ ଜାଗାରେ ନୂଆ ମୁହଁ ଆସିବେ ବୋଲି ଶୁଣିବାକୁ ମିଳୁଛି। ମହେନ୍ଦ୍ର ଜିଲ୍ଲାର ଜଣେ ଟାଣୁଆ ନେତା। ତାଙ୍କ ନେତୃତ୍ୱରେ ଦଳ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ଲଢ଼ି ବିପୁଳ ବିଜୟ ବି ହାସଲ କରିଥିଲା। କିନ୍ତୁ ତାଙ୍କୁ ଆଉ ଏହି ପଦରେ ରଖିବାକୁ ଦଳ ଚାହୁଁନାହିଁ। ଏଣୁ ତାଙ୍କ ଜାଗାରେ ଆଉ ଜଣେ ନେତାଙ୍କୁ ବସାଇବାକୁ ଯୋଜନା କରୁଛି ବିଜେଡି।
ଏହି ଦୌଡ଼ରେ ଏବେ ସବୁଠୁ ଆଗରେ ଅଛି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ (ବାପୁ) ଙ୍କ ନାଁ। ବିଜେଡି ପକ୍ଷରୁ ବାପୁଙ୍କୁ ଜିଲ୍ଲା ବିଜେଡିର ସଭାପତି କରିବାକୁ ପ୍ଲାନିଂ ଚାଲିଛି। ଜିଲ୍ଲାରେ ବାପୁ ଜଣେ ଚର୍ଚ୍ଚିତ ତଥା ଲୋକପ୍ରିୟ ନେତା। ଏହି କାରଣରୁ ସେ ଲଗାତାର ତୃତୀୟ ଥର ପାଇଁ ବିଧାୟକ ମଧ୍ୟ ହୋଇଛନ୍ତି।
କିନ୍ତୁ ଏବେ ଯାଏଁ ତାଙ୍କୁ ମନ୍ତ୍ରୀ ପଦ ମିଳିନି। ସେହିଭଳି ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି ନିର୍ବାଚନ ସମୟରେ ମଧ୍ୟ ତାଙ୍କୁ ଅଣଦେଖା କରାଯାଇଥିଲା। ଏହି କାରଣରୁ ସେ ମୁହଁ ଖୋଲୁ ନଥିଲେ ମଧ୍ୟ ଅସନ୍ତୁଷ୍ଟ ଥିବା ଦଳ ହୃଦୟଙ୍ଗମ କରିଛି। ଏଣୁ ଏଥରକ ତାଙ୍କୁ ବଡ଼ ପଦ ଦେଇ ଖୁସ୍ କରିବାକୁ ଦଳ ଯୋଜନା କରୁଛି। ଅନ୍ୟପଟେ ଅନୁଗୁଳ ଜିଲ୍ଲାରେ ତାଙ୍କର କେହି ସେମିତି ପ୍ରତିଦ୍ବନ୍ଦ୍ୱୀ କି ବିରୋଧୀ ମଧ୍ୟ ନାହାନ୍ତି। ଏଣୁ ବ୍ରଜ କିଶୋର ପ୍ରଧାନ (ବାପୁ) ଜିଲ୍ଲା ସଭାପତି ହେଉଥିବା ନେଇ ଏକ ପ୍ରକାର ଥୟ ହୋଇଛି। ଏବେ ଖାଲି ଏ ନେଇ ଦଳ ସୁପ୍ରିମୋଙ୍କ ଘୋଷଣାକୁ ଅପେକ୍ଷା।