ଘଟଣା ଓ ଦୁର୍ଘଟଣା

ଠିକା ଶ୍ରମିକଙ୍କ ମୃତ୍ୟୁରେ ଉତ୍ତେଜନା: ନାଲକୋ ତରଫରୁ ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା ପରେ ହଟିଲା ରାସ୍ତା ଅବରୋଧ

By Angul TV Bureau

October 15, 2023

ନାଲକୋ ନଗର: ନାଲ୍‌କୋ ସ୍କେଲଟର ପ୍ଲାଣ୍ଟର ଜଣେ ଠିକା ଶ୍ରମିକଙ୍କ ଶନିବାର ଆକସ୍ମିକ ଭାବେ ମୃତ୍ୟୁ ଘଟିଛି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲାର ହାଦାଇ ମୁର୍ମୁ। ସେ ନାଲ୍‌କୋନଗର ତେନ୍ତଳା ହଟିଂରେ ରହୁଥିଲେ।

ସୂଚନା ଅନୁଯାୟୀ, ହାଦାଇ ମୁର୍ମୁ ଠିକାସଂସ୍ଥା ଅଧୀନରେ ସ୍କେଲଟର୍ ପ୍ଲାଣ୍ଟ କାର୍ବନ ଏରିଆ ବେକ୍ ଓଭନ୍ ମେକାନିକାଲ୍ ବିଭାଗରେ କାର୍ଯ୍ୟ କରୁଥିଲେ। ଗତ କାଲି ସକାଳେ ସେ ଡ୍ୟୁଟିକୁ ଯାଇ ମଧ୍ୟାହ୍ନରେ ଘରକୁ ଖାଇବାକୁ ଆସିଥିଲେ। ଘରେ ପହଞ୍ଚିବା ପରେ ଅସୁସ୍ଥ ଅନୁଭବ କରିବାରୁ ତୁରନ୍ତ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ କରାଇ ଘର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ତେବେ ଆଜି ସକାଳେ ହଟିଙ୍ଗର ଅଧିବାସୀ କ୍ଷତି ପୂରଣ ଦାବିରେ ନାଲକୋର ସ୍ମେଲଟର ଗେଟ ସମ୍ମୁଖରେ ଧାରଣା ଦେଇଥିଲେ। ଦୀର୍ଘ ପାଞ୍ଚ ଘଣ୍ଟାର ଧାରଣା ପରେ ନାଲକୋ ତରଫରୁ ୧୫ ଲକ୍ଷର ଅନୁକମ୍ପା ରାଶି ଓ ଠିକାଦାର ତରଫରୁ ୧ ଲକ୍ଷ ୧୦ ହଜାର ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ଲୋକେ ଧାରଣାରୁ ଉଠିଥିଲେ।