ଅନୁଗୁଳ: ଗତ ୨୦ ତାରିଖ ଗୁରୁବାର ଦିନ ଅନୁଗୁଳ ପ୍ରଧାନ ଆଇ କେୟାରରେ ୧୩ ଜଣ ରୋଗୀ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଇବାକୁ ଆସି ଭୀଷଣ ସଂକ୍ରମଣର ଶିକାର ହୋଇ ଗୁରୁତର ଅସୁସ୍ଥ ହୋଇ ପଡିଥିବା ଖବର ହସ୍ତଗତ ହୋଇଛି। ଏ ସମ୍ପର୍କରେ କ୍ଲିନିକ୍ ପରିଚାଳକ ଡ଼ା ଚନ୍ଦ୍ର ଶେଖରଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଥିଲେ କି ତାଙ୍କ କ୍ଲିନିକ୍ରେ ଡାକ୍ତର ବିଶ୍ୱଜିତ୍ ଦେ ଫାକୋ ମେସିନ ଦ୍ଵାରା ନିୟମିତ ଅସ୍ତ୍ରୋପଚାର କରନ୍ତି। ଗତ ୨୦ ତାରିଖ ଦିନ ସେ ଅନୁଗୁଳ ବଅଁରପାଳ ଆଠମଲ୍ଲିକ ଅଞ୍ଚଳର ୧୩ ଜଣ ରୋଗୀଙ୍କ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାରର ୨୪ ଘଣ୍ଟା ଭଲ ଥିଲେ।
ଏହାପରେ ରୋଗୀମାନେ ଆଖିରେ ଶକ୍ତ ଯନ୍ତ୍ରଣା,ମୁଣ୍ଡ ବଥା ଆଦି ହେଉଥିବା ଅଭିଯୋଗ କରିଥିଲେ। ସବୁ ରୋଗୀଙ୍କ ସମାନ ଅସୁବିଧା ଥିବାରୁ ମୁ ଖବରପାଇ ମାନବିକତା ଦୃଷ୍ଟି କୋଣରୁ ସମସ୍ତଙ୍କୁ ନେଇ ବୁର୍ଲା ମେଡିକାଲ କଲେଜ୍ ହସ୍ପିଟାଲରେ ଭର୍ତ୍ତି କରାଇଛି। ପ୍ରଫେସର ମାନେ ରୋଗୀ ମାନଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି। ସୋମବାର ସନ୍ଧ୍ୟା ସୁଦ୍ଧା ତିନି ଚାରି ଜଣ ରୋଗୀଙ୍କ ଅବସ୍ଥାରେ ଉନ୍ନତି ଆସିଛି। ଅନ୍ୟମାନେ ଭଲ ହୋଇଯିବାର ସମ୍ଭାବନା ଅଛି।
ତେବେ ବିଶେଷଜ୍ଞ ମାନେ ଅପରେସନ ପୂର୍ବରୁ ପଡ଼ୁଥିବା ତିନି ପ୍ରକାର ତରଳ ଔଷଧ, ଫାକୋ ଯନ୍ତ୍ର କିମ୍ବା ଓଟି ଏଥିରୁ କୌଣସିଟିରେ ସଂକ୍ରମଣ ଯୋଗୁଁ ଏହି ସମସ୍ୟା ଉପୁଜିଥିବା ଆଶଙ୍କା କରୁଛନ୍ତି। ତରଳ ଔଷଧ ଗୁଡ଼ିକ ଲାବରେଟରି ପରୀକ୍ଷା ପାଇଁ ପଠା ଯାଇଛି। ବୁଧବାର ରିପୋର୍ଟ ଆସିବା ପରେ ତଥ୍ୟ ସାମନାକୁ ଆସିବ ବୋଲି କୁହା ଯାଉଛି।
ତେବେ ଏ ସମ୍ପର୍କରେ ଡାକ୍ତର ବିଶ୍ୱଜିତ୍ ଦେ ସହ ଯୋଗା ଯୋଗ ସମ୍ଭବ ହୋଇପାରିନାହିଁ। ବାବୁ ଭୁବନେଶ୍ବରରେ ରହନ୍ତି ବୁଲିବୁଲି ଚିକିତ୍ସା କରନ୍ତି। ଅନୁସନ୍ଧାନରୁ ଜଣାପଡିଛି ଡାକ୍ତର ଜଣକ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତି ଗୁରୁବାର ଆସନ୍ତି। ଡିଏମଏଫ୍ ଫଣ୍ଡରୁ ପ୍ରତି ଭିଜିଟ୍ ୨୦ ହଜାର ନିଅନ୍ତି। ସେ ପେଡିଆଟ୍ରିକ୍ ଆଖି ବିଶେଷଜ୍ଞ ଭାବେ ପ୍ରତି ବାରି ୪୦ ରୁ ୫୦ ରୋଗୀ ଦେଖି ତାପରେ ପ୍ରଧାନ କ୍ଲିନିକ୍ ଆସି ପୁଣି ରୋଗୀ ଦେଖନ୍ତି।
ଘଟଣା ସମ୍ପର୍କରେ ରାଜ୍ୟ ଓମ୍ସା ସମ୍ପାଦକ ଡ଼ା ବିଶ୍ୱଜିତ୍ ସାମଲଙ୍କ ମତ ଲୋଡ଼ିଥିଲୁ,ସେ କହିଲେ ‘ହୁ’ ର ଗାଇଡ୍ ଲାଇନ୍ ଅନୁସାରେ ଜଣେ ଡାକ୍ତର ଦିନକୁ ୨୦ ରୁ ୩୦ ରୋଗୀ ସୁସ୍ଥ ମନରେ ଦେଖିପାରିବ।ତେଣୁ ୫୦ ରୋଗୀ ଦେଖି ସାରି ପୁଣି ଯଦି ୧୫, ୨୦ ଅସ୍ତ୍ରୋପଚାର ରଖାଯିବ ସେଥିରେ ଭୁଲ୍ ଭଟକା ରହିବାର ସମ୍ଭାବନା ବି ରହିବ ।
ଅନ୍ୟ ପକ୍ଷରେ ବୁର୍ଲାରେ ଥିବା ରୋଗୀଙ୍କ ସଂପର୍କୀୟ ମାନେ ଜଣାଇଛନ୍ତି କି ସେମାନେ ସେମାନଙ୍କ ରୋଗୀର ଦୃଷ୍ଟିଶକ୍ତି କିଭଳି ଫେରିବ ସେଥିନେଇ ସେମାନେ ଚିନ୍ତିତ ଅଛନ୍ତି। ସେମାନଙ୍କ ଆଖିକୁ ଭଲ ଦିଶୁନାହିଁ।ତେଣୁ ସେମାନେ ବର୍ତ୍ତମାନ ପରିସ୍ଥିତିରେ କାହା ନାଁ ରେ ଲିଖିତ ଅଭିଯୋଗ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ତେଣୁ ଆମ ରୋଗୀ ଘରକୁ ଫେରିଲେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ନିଆଯିବ।