ଘଟଣା ଓ ଦୁର୍ଘଟଣା

ଜାଗା ଜବରଦଖଲ କରି ଗୁହାଳ କରିଥିଲେ, ଭାଙ୍ଗିବା ପାଇଁ କହିବାରୁ ବୃଦ୍ଧଙ୍କୁ ହତ୍ୟା ଧମକ

By Angul TV Bureau

August 06, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ବଡ଼ ଦାଦର ଗ୍ରାମର ଜଣେ ବୃଦ୍ଧଙ୍କୁ ସେହି ଗ୍ରାମର ଜଣେ ଯୁବକ ହତ୍ୟା ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ବଡ଼ ଦାଦର ଗାଁର ମୁରଲୀଧର ନାୟକ (୭୫) ଙ୍କୁ ସେହି ଗ୍ରାମର ଅନିରୁଦ୍ଧ ନାୟକ ଓ ମହେଶ୍ବର ନାୟକ ହତ୍ୟା ଧମକ ଦେଇଛନ୍ତି। ଏ ନେଇ ସେ ରବିବାର ଠାକୁରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ୧୬୨/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ପୋଲିସ କହିଛି ଯେ ମୁରଲୀଧରଙ୍କ ଜମିରେ ଅନିରୁଦ୍ଧ ଓ ମହେଶ୍ଵର ଏକ ଗୁହାଳ କରିଛନ୍ତି। ଏ ନେଇ ବିବାଦ ହେବାରୁ ମୁରଲୀଧର ଆଠମଲ୍ଲିକ ତହସିଲ ଅଫିସରୁ ଅନୁମତି ଆଣି ଜମି ଚିହ୍ନଟ କରିଥିବା ବେଳେ ତାଙ୍କ ଜମିରେ ଏହି ଗୁହାଳ ହୋଇଥିବା ରାଜସ୍ୱ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ପରେ ୫ ଦିନ ମଧ୍ୟରେ ଉକ୍ତ ଗୁହାଳ ଭାଙ୍ଗିବା ପାଇଁ ସେ ଅନିରୁଦ୍ଧ ଓ ମହେଶ୍ବରଙ୍କୁ ମୁରଲୀଧର କହିଥିଲେ। କିନ୍ତୁ ସେମାନେ ଗୁହାଳ ନ ଭାଙ୍ଗିବାରୁ ମୁରଲୀଧର ପୁଣି ଥରେ କହିଥିଲେ। ତା’ ପରେ ଉଭୟେ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଛନ୍ତି। ଏଣୁ ଅନ୍ୟ ଉପାୟ ନ ପାଇ ମୁରଲୀଧର ଥାନାରେ ଅଭିଯୋଗ କରିଛନ୍ତି।