ଘଟଣା ଓ ଦୁର୍ଘଟଣା

ମଳାଶୁରଙ୍କୁ ଠକି ଜ୍ବାଇଁ ଗିରଫ

By Swagatika Samantray

November 02, 2022

ଅନୁଗୁଳ: ଅନୁଗୁଳ ଟାଉନ ପୋଲିସ ବୁଧବାର ଠକେଇ ଅଭିଯୋଗରେ ୩ ଜଣ ଯୁବକଙ୍କୁ ଗିରଫକରିଛି।

ସୂଚନା ମୁତାବକ, ଆଠମଲ୍ଲିକ ଥାନା ଅନ୍ତର୍ଗତ ଗଦାଧରପୁର ଗାଁର ଶେଷଦେବ କୁଦେଇ ତାଙ୍କ ସ୍ତ୍ରୀ ରାସେଶ୍ବରୀ କୁଦେଇଙ୍କୁ ହତ୍ୟାକରି ଜେଲରେ ଅଛନ୍ତି। ତେବେ ଗତ ୨୪ ତାରିଖରେ ରାସେଶ୍ବରୀଙ୍କ ଭାଇ ପିତାମ୍ବର ଭୋଇଙ୍କ ନିକଟରେ ଶେଷଦେବଙ୍କ ଜ୍ବାଇଁ ହିମାଂଶୁ ଘିୱାଲା ଓ ଗଙ୍ଗାଧର ସାହୁ ନାମକ ଅନ୍ୟ ଜଣେ ବ୍ୟକ୍ତି ପହଞ୍ଚିଥିଲେ। ପିତାମ୍ବରଙ୍କୁ ଗଙ୍ଗାଧର କହିଥିଲେ ଯେ, ସେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିରାଣୀ ଅଛନ୍ତି। ସରକାରଙ୍କ ଘୋଷଣା ଅନୁସାରେ ହତ୍ୟାର ଶିକାର ହୋଇଥିବା ତାଙ୍କ ଭଉଣୀଙ୍କୁ ୨ ଲକ୍ଷ ୩୫ ହଜାର ଟଙ୍କା କ୍ଷତିପୂରଣ ମିଳିବ। ତେଣୁ ବୁଧବାର ସକାଳେ ଆଧାରକାର୍ଡ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବ।

କଥା ଅନୁସାରେ ପିତାମ୍ବର ତାଙ୍କ ପୁଅ ସିପୁନ ଓ ପଡ଼ୋଶୀ ଅଭିମନ୍ୟୁ କର୍ଣ୍ଣଙ୍କୁ ଧରି ଜିଲ୍ଲା କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିଲେ। ସେଠାରେ ହିମାଂଶୁ ଓ ଗଙ୍ଗାଧର ପିତାମ୍ବରଙ୍କ ୪ ହଜାର ଟଙ୍କା, ଆଧାର କାର୍ଡ ନେଇ ଏକ ୧୦ ଟଙ୍କିଆ ଷ୍ଟମ୍ପ ପେପରରେ ଦସ୍ତଖତ ନେଇ ଫଟୋକପି କରିବାକୁ ବସଷ୍ଟାଣ୍ଡକୁ ବାହାରିଥିଲେ। ଜିଲ୍ଲା କାର୍ଯ୍ୟାଳୟ ଯିବା ପରିବର୍ତ୍ତେ କାହିଁକି ବସଷ୍ଟାଣ୍ଡ ଯାଉଛ ବୋଲି ପିତାମ୍ବର ପଚାରିଥିଲେ। ସେମାନେ କୌଣସି ଉତ୍ତର ନଦେଇ ଯିବାକୁ ବାହାରିବାରୁ ପିତାମ୍ବରଙ୍କର ସନ୍ଦେହ ହୋଇଥିଲା।

ତେଣୁ ପିତାମ୍ବର ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସେମାନଙ୍କୁ ନେଇ ଅନୁଗୁଳ ଟାଉନ ଥାନାକୁ ଯାଇଥିଲେ। ସେଠାରେ ପୋଲସ ଘଟଣା ସମ୍ପର୍କରେ ଶୁଣି ଏହା ଏକ ଠକେଇ ବୋଲି ଜାଣିବାକୁ ପାଇଲା। ଏ ନେଇ ଏକ ମାମଲା ରୁଜୁକରି ହିମାଂଶୁ ଓ ଗଙ୍ଗାଧରଙ୍କୁ ଅଟକରଖି ପଚରା ଉଚୁରା କରିଥିଲା। ସେମାନଙ୍କଠାରୁ କଥା ଆଦାୟକରି ଏହି ଘଟଣାରେ ସମ୍ପୃକ୍ତ କଣିହାଁ ଥାନା ଅନ୍ତର୍ଗତ ଦିଗନ୍ତ ସାମଲଙ୍କୁ ଗିରଫକରିଥିଲା। ସୋମାନଙ୍କଠାରୁ ୪ ହଜାର ଟଙ୍କା ଜବତ କରିବାସ ବୁଧବାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।