ଅନୁଗୁଳ: ଜିଲ୍ଲାରେ ଘଟୁଥିବା ଦୁର୍ଘଟଣା, ଗଣ୍ଡଗୋଳ ଅବା ଅଗ୍ନିକାଣ୍ଡ ଭଳି ଆପାତକାଳୀନ ସମୟରେ ଜରୁରୀ ସେବା ଯୋଗାଇବାକୁ ପାଇଁ ଅନୁଗୁଳ ପୁଲିସ୍କୁ ମିଳିଛି ୩ଟି ଜରୁରୀକାଳୀନ ସେବା ଗାଡ଼ି । ନିକଟରେ ଏହାକୁ ପୁଲିସ୍ ଡିଜି ଲୋକାର୍ପିତ କରିଥିବା ବେଳେ ସୋମବାର ରାତିରେ ଏହି ୩ଟି ଗାଡ଼ି ଅନୁଗୁଳରେ ପହଞ୍ଚିଛି । ଏଥିରୁ ଗୋଟିଏ ଗାଡ଼ିକୁ ଅନୁଗୁଳ ଥାନାକୁ ପ୍ରଦାନ କରାଯାଇଥିବା ଅନ୍ୟ ୨ଟି ଗାଡ଼ିକୁ ସଦର ଥାନା ଓ ତାଳଚେର ଥାନାକୁ ଦିଆଯାଇଛି। ଏହି ଗାଡ଼ିରେ ଅତ୍ୟାଧୁନିକ ସୁବିଧା ରହିଛି। ଦୁର୍ଘଟଣା, ଗଣ୍ଡଗୋଳ ଓ ଅଗ୍ନିକାଣ୍ଡ ଭଳି ଘଟଣାରେ ୧୧୨ ନମ୍ବରରେ ଯୋଗାଯୋଗ କଲେ ଏହି ଗାଡ଼ି ପହଞ୍ଚି ତ୍ବରିତ ସେବା ଯୋଗାଇ ଦେବ। ଏହି ଗାଡ଼ିରେ ଜିପିଏସ୍, ବାୟୋମେଟ୍ରିକ୍ ଷ୍ଟ୍ରେଚର, ଫାଷ୍ଟଏଡ୍ ବକ୍ସ ଆଦିର ସୁବିଧା ରହିଛି। ପ୍ରତି ଗାଡ଼ିରେ ୩ ଜଣ ସ୍ଵତନ୍ତ୍ର କର୍ମଚାରୀ ନିୟୋଜିତ କରାଯାଇଥିବା ବେଳେ ଆଗାମୀ ଦିନରେ ପ୍ରତି ଥାନାକୁ ଏହି ଜରୁରୀକାଳୀନ ସେବା ଗାଡ଼ି ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।