ମୁଖ୍ୟ ଖବର

ଗାଙ୍ଗ୍‌ଟକ୍ ବୁଲିବାକୁ ଯାଇ ଫସିଲେ ତିନି ସାଙ୍ଗ

By Biswaranjan Pattnaik

October 06, 2023

ଅନୁଗୁଳ: ସିକିମର ଗାଙ୍ଗ୍‌ଟକ୍‌ରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଅନୁଗୁଳର ତିନି ସାଙ୍ଗ ଫସି ଥିବା ଖବର ମିଳିଛି।‌

ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ହେମସୁରପଡ଼ାର ଯୁବକ ନୃସିଂହ ମହାନ୍ତି, ରାଜକିଶୋରପଡ଼ାର ତପନ ସାହୁ ଏବଂ ରଧାରମନପଡ଼ାର ବଳଭଦ୍ର ସାହୁ ଅନୁଗୁଳରୁ ସାଲିମାର ଟ୍ରେନରେ କଲିକତା ଯାଇ ସେଠାରୁ ଗାଙ୍ଗ୍‌ଟକ୍  ବୁଲି ଯାଇଥିଲେ। ମଙ୍ଗଳବାର ରାତି ନ ଟା ସମୟରେ ସେମାନେ ଘର ଲୋକଙ୍କ ସହ କଥା ହୋଇଥିଲେ। ତେବେ ବୁଧବାର ଦିନ ବାଦଲ ଫଟା ବର୍ଷା ହେତୁ ବରଫ ହ୍ରଦ ଭୁଶୁଡ଼ି ବନ୍ୟା ଆସିବା ଫଳରେ ଅନେକ ଯବାନ ଓ ସ୍ଥାନୀୟ ଲୋକ ଭାସି ଯାଇଥିଲେ ।ଏହାପରେ ତିନି ସାଙ୍ଗଙ୍କ ସହ ଘର ଲୋକଙ୍କ ଯୋଗାଯୋଗ କଟି‌ ଯାଇଥିଲା। ଫଳରେ ଘର ଲୋକଙ୍କ ମନରେ ଛନକା ପଶିଥିଲା। ତେବେ ସର୍ବଶେଷ ସମ୍ବାଦ ଅନୁସାରେ ତିନି ସାଙ୍ଗ ଯବାନଙ୍କ ସୁରକ୍ଷା କ୍ୟାମ୍ପରେ ରହିଥିବା ଖବର ମିଳିବା ପରେ ପରିବାର ଲୋକେ ଆଶ୍ବସ୍ତ ହୋଇଥିବା ଖବର ମିଳିଛି ।