ମୁଖ୍ୟ ଖବର

୩ ଜଣ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

By Swagatika Samantray

April 29, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଦୌରା ଜଜ୍ ପ୍ରଣବ କୁମାର ପାତ୍ର ଏକ ହତ୍ୟା ମାମଲାର ବିଚାରକରି ଶୁକ୍ରବାର ୩ ଜଣ ହତ୍ୟାକାରୀଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଯେ, ୨୦୦୩ ମସିହା ଅପ୍ରେଲ ୯ ତାରିଖ ସକାଳେ ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗାଁର ଉତ୍ସବାନନ୍ଦ ସାହୁଙ୍କ ସ୍ତ୍ରୀ ନୀର୍ମଳା ସାହୁ, ତାଙ୍କ ଜା’ ବିନତୀ ସାହୁ ଓ ଅନ୍ୟ ୩/୪ ଜଣ ସ୍ତ୍ରୀ ଲୋକ ଘରପାଖ କୂଅକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେଠାରେ ପଡ଼ୋଶୀ ପ୍ରସନ୍ନ କୁମାର ବିଶ୍ବାଳ, ପୁଅ ଜିତେନ୍ଦ୍ର କୁମାର ବିଶ୍ବାଳ ଓ ତପନ କୁମାର ବିଶ୍ବାଳ ଶାବଳ ଓ ଠେଙ୍ଗାରେ ପିଟିପିଟି ନୀର୍ମଳାଙ୍କୁ ମାରିଥିଲେ। ଫଳରେ ଘଟଣାସ୍ଥଳରେ ନୀର୍ମଳାଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ନୀର୍ମଳାଙ୍କ ସ୍ବାମୀ ଉତ୍ସବାନନ୍ଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ, ପୂର୍ବ ଶତ୍ରୁତାରୁ ବାପ ପୁଅ ଏହି ହତ୍ୟାକାଣ୍ଡ କରିଛନ୍ତି। ଅଭିଯୋଗପାଇ ପୁଲିସ ଥାନା କେସ ନଂ ୩୧/୨୦୦୩ରେ ଦଫା ୩୦୨, ୩୨୩,୧୧୪,୧୧୫ ଓ ୩୪ରେ ଏକ ମାମଲା ରୁଜୁକରି ଶବକୁ ଜବତକରି ବ୍ୟବଛେଦ କରାଇଥିଲା। ଏଥିସହ ଅଭିଯୁକ୍ତ ମାନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା।

ଏହି ମାମଲାରେ ବିଚାରପତି ଶ୍ରୀ ପାତ୍ର ୧୪ ଜଣ ସାକ୍ଷୀଙ୍କ ବୟାନ ଓ ୧୩ଟି ଦଲିଲକୁ ଆଧାରକରି ୩ ଅଭିଯୁକ୍ତଙ୍କୁ ଦଫା ୩୦୨ ପାଇଁ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଦେବେ। ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡ ଭୋଗିବେ ବୋଲି ଦଣ୍ଡା ଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ଏହି ମାମଲା ପବ୍ଲିକ୍ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦାସ ଓ ସହକାରୀ ପବ୍ଲିକ୍ ପ୍ରସିକ୍ୟୁଟର ପ୍ରଦୀପ କୁମାର ଭୁତିଆ ପରିଚାଳନା କରୁଥିଲେ।