ଘଟଣା ଓ ଦୁର୍ଘଟଣା

ବଜ୍ରାଘାତରୁ ଅଳ୍ପକେ ବର୍ତ୍ତିଲେ ତିନିଜଣ: ଗୁରୁତର ଅବସ୍ଥାରେ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

By Angul TV Bureau

June 20, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତର ପବଲା ଗାଁରେ ଏକ ବଡ଼ ଧରଣର ବଜ୍ରପାତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତିନି ଜଣ। ଆହତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ସୁକାନ୍ତ ପଧାନ (୧୪), ବଳରାମ ପଧାନ (୧୦) ଏବଂ ଜଣେ ସାବାଳକ ପ୍ରିୟାଂଶୁ ପଧାନ (୧୮) ଅଛନ୍ତି।

ସୂଚନା ମୁତାବକ, ଆଜି ଅପରାହ୍ନରେ ଏହି ତିନିଜଣ କରତପଟା ଛକରୁ ନିଜ ଗ୍ରାମ ପବଲାକୁ ଫେରୁଥିଲେ। ଏହି ସମୟରେ ହଠାତ୍ ଝଡ଼ତୋଫାନ ଆରମ୍ଭ ହେବାରୁ ସେମାନେ ଆଶ୍ରୟ ନେବା ପାଇଁ ରାସ୍ତା କଡ଼ରେ ଥିବା ଏକ ଗଛ ତଳେ ଠିଆ ହୋଇଥିଲେ। ହଠାତ୍ ସେଠାରେ ବଜ୍ରପାତ ହେବାରୁ ସେମାନେ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।