ମୁଖ୍ୟ ଖବର

ଅନୁଗୋଳ ସହରରେ ଚୋରଙ୍କ ଉତ୍ପାତ: ଦୁଇଟି ପୃଥକ ଘଟଣାରେ ସାମଗ୍ରୀ ସହ ଟଙ୍କା ଚୋରି, ତିନି ଗିରଫ

By Angul TV Bureau

June 29, 2026

ଅନୁଗୋଳ: ଜିଲ୍ଲା ସଦର ମହକୁମାରେ ଚୋରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସହରର ହାକିମପଡ଼ା ଅଞ୍ଚଳରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚୋରି ହୋଇଥିବା ନେଇ ଅନୁଗୋଳ ଥାନାରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି।

ପ୍ରଥମ ଘଟଣାରେ, ହାକିମପଡ଼ାର ଅଖିଳ ପ୍ରଧାନ (୬୩) ଗତ ୨୪ ଓ ୨୫ ତାରିଖରେ ଘରେ ନଥିବା ବେଳେ ୨୮ ତାରିଖ ସକାଳେ ଫେରି ଦେଖିଥିଲେ ଯେ ଘରର ଦୁଇଟି ତାଲା ଭଙ୍ଗାଯାଇଛି। ଚୋରମାନେ ୨ଟି ଇଣ୍ଡେନ ଗ୍ୟାସ ସିଲିଣ୍ଡର, ଗୋଟିଏ ସନ୍ ଫ୍ଲେମ୍ ଇସ୍ତ୍ରୀ ଓ ୩ଟି ସାନିଟାରୀ ଟ୍ୟାପ୍ ଚୋରି କରି ନେଇଛନ୍ତି, ଯାହାର ମୂଲ୍ୟ ପ୍ରାୟ ୨୦ ହଜାର ଟଙ୍କା ହେବ। ଏନେଇ ଅନୁଗୁଳ ଥାନା କେସ ନଂ ୫୩୧/୨୬ ରୁଜୁ ହୋଇଛି।

ଦ୍ୱିତୀୟ ଘଟଣାରେ, ଏନଏଚ୍ କଲୋନୀର ସୁରେଶ ଚନ୍ଦ୍ର ଗୋଛାୟତଙ୍କ ଘରୁ ମଧ୍ୟ ଚୋରି ହୋଇଛି। ସେ ଘରେ ନଥିବା ବେଳେ କେହି ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ଇଣ୍ଟେକ୍ସ ଟିଭି, ଗ୍ୟାସ ସିଲିଣ୍ଡର, ସୁନା ଓ ରୁପା ଅଳଙ୍କାର, ବାସନକୁସନ, ପୋଷାକ ଏବଂ ୭ ହଜାର ଟଙ୍କା ଚୋରି କରି ନେଇଛନ୍ତି। ଏହି ଘଟଣାରେ ପୋଲିସ କେସ ନଂ ୫୩୪/୨୬ ରୁଜୁ କରିଛି। ଉଭୟ ଘଟଣାରେ ପୋଲିସ ଦୀପକ ବେହେରା, ମୁନୁ ଓଝା ଓ ବାଦଲ ଗୋଛାୟତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।