ଘଟଣା ଓ ଦୁର୍ଘଟଣା

ଠକେଇ ଅଭିଯୋଗରେ ବାପ-ପୁଅ, ବୋହୁକୁ ବାନ୍ଧିଲା ପୋଲିସ

By Biswaranjan Pattnaik

October 29, 2022

ଅନୁଗୁଳ: ସ୍ଥାନୀୟ ଏକ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଅନୁଗୁଳ ଥାନା ପୋଲିସ ଶୁକ୍ରବାର ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ତାଳଚେର ଥାନା ଅନ୍ତର୍ଗତ ରେମୁଁଆର ହରିହର ବସନ୍ତରା(୫୯), ତାଙ୍କ ପୁଅ ଦିଲ୍ଲୀପ ବସନ୍ତରା(୩୭) ଓ ବୋହୂ ସୁପ୍ରଭା ବସନ୍ତରା(୨୮)।

ପ୍ରାପ୍ତ ସୂଚନା ମୁତାବକ, ୨୦୧୭ ମସିହାରେ ଏହି ବଡ଼ଧରଣର ଠକେଇ ହୋଇଥିଲା । ଅଭିଯୁକ୍ତମାନେ ପ୍ରଥମେ ଏକ ବ୍ୟାଙ୍କରେ ଅସଲ କାଗଜପତ୍ର ଦାଖଲ କରି ଋଣ ଆଣିଥିଲେ। ପରେ ସେହି କାଗଜପତ୍ରର ସାର୍ଟିଫାଏଡ୍ କପି ଧରି ଜରାସିଂହା ସ୍ଥିତ ଏକ ବ୍ୟାଙ୍କରେ ପହଞ୍ଚିଥିଲେ । ସେଠାରୁ ୧୦ ଲକ୍ଷ ଟଙ୍କା ଋଣ କରିଥିଲେ ହେଁ ସୁଝିବାର ନାଁ ଧରିନଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ ଛାନଭିନ୍ କରିବା ପରେ ଅଭିଯୁକ୍ତମାନଙ୍କ କାରସାଦି ଜଣାପଡ଼ିଥିଲା। ଏନେଇ ବ୍ୟାଙ୍କ ମ୍ୟାନେଜର ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏ ସଂକ୍ରାନ୍ତରେ କେସ୍ ନଂ ୬୫୯/୧୭ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।