ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବାଲିପସି ଗ୍ରାମ ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ଦୁଷ୍ମନ୍ତ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ମୁତାବକ, ବାଲିପସି ପଞ୍ଚାୟତର ନାଏବ ସରପଞ୍ଚଙ୍କ ସ୍ୱାମୀ ବିଷ୍ଣୁଚରଣ ପ୍ରଧାନ ନିଶାସକ୍ତ ଅବସ୍ଥାରେ କାର୍ଯ୍ୟାଳୟରେ ପଶି ଅଧିକାରୀଙ୍କୁ ଗାଳିଗୁଲଜ ଓ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ରେଙ୍ଗାଳି ଥାନା ଏବଂ କଣିହାଁ ବିଡିଓଙ୍କ ନିକଟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା।
ଏହାକୁ ଆଧାର କରି ରେଙ୍ଗାଳି ପୋଲିସ ମୁଖ୍ୟ ଅଭିଯୁକ୍ତ ବିଷ୍ଣୁଚରଣ ପ୍ରଧାନ (୩୮) ଓ ତାଙ୍କ ସହଯୋଗୀ ରାଜୁ ସାହୁ (୨୪)ଙ୍କୁ ଗିରଫ କରିଛି। ଏଥିସହ ଦୁଇ ଅଭିଯୁକ୍ତଙ୍କୁ ନିଜ ଘରେ ଆଶ୍ରୟ ଦେଇଥିବା ଅଭିଯୋଗରେ ବାଲିପସି ଗ୍ରାମର ନିଶାକର ବେହେରା (୩୨)ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଆଜି ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଆଇଆଇସି ଚଞ୍ଚଳା ନାୟକ ସୂଚନା ଦେଇଛନ୍ତି।