ଘଟଣା ଓ ଦୁର୍ଘଟଣା

ଟ୍ରକ୍ ଚୋରି ଅଭିଯୋଗରେ ଚାଳକଙ୍କ ସହ ୨ ସହଯୋଗୀ ଗିରଫ

By Swagatika Samantray

July 17, 2022

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ନିକଟରୁ ଏକ ଟ୍ରକ୍ ଚୋରି ଅଭିଯୋଗରେ ପୁଲିସ ଟ୍ରକ ଚାଳକଙ୍କସହ ତାଙ୍କ ୨ ସହଯୋଗିଙ୍କୁ ଗିରଫ କରିଛି।

ସୂଚନା ଯେ, ଗୋପାଳପୁର ବନ୍ଦରରୁ ହ୍ବାଇଟନର ପାଉଡର ନେଇ ଏକ ଟ୍ରକ(ଓଡି୦୫ବିଏ-୦୧୮୭)ଟି ଜେଏସପିଏଲକୁ ଆସୁଥିଲା। ଟ୍ରକ ଖରାପ ହେବାରୁ  ଚାଳକ ୧୨ ତାରିଖ ରାତିରେ ପଞ୍ଚମହଲା ନିକଟରେ ଟ୍ରକକୁ ସାଇଡକରି ରଖିଥିଲା। ଶୁକ୍ରବାର ରାତିରେ ୨ଟି ବାଇକ୍ରେ ୫ ଜଣ ଆସି ଟ୍ରକ୍ ପାଖରେ ପହଞ୍ଚି ବାଡ଼ିଆପିଟାକରି ଛୁରିରେ ଆକ୍ରମଣକରି ତାଙ୍କ ମୋବାଇଲ ଫୋନ୍, ସୁନା ଚେନ୍, ପର୍ସରେ ଥିବା ୨ ହଜାର ଟଙ୍କା ନେଇ ପଳାଇଲେ ବୋଲି ଟ୍ରକ୍ ଚାଳକ ଜଗା ଓରଫ ଆଲୋକ ସେଠୀ ଅନୁଗୁଳ ସଦର ଥାନାରେ ଶନିବାର ଅଭିଯୋଗ କରିଲେ।

ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଲା। ପୁଲିସ ଚୋରି ଟ୍ରକକୁ ବନ୍ତଳା ଥାନା ଅନ୍ତର୍ଗ ବଡ଼କେରାଠାରେ ୫୫ ନଂ ଜାତୀୟ ରାଜପଥକଡ଼ରେ ଠିଆ ହୋଇଥିବା ଦେଖିବାକୁ ମିଳିଲା। ଟ୍ରକରୁ ୫ଟି ଚକା ଓ ଗୋଟିଏ ବ୍ୟାଟେରୀ ଚୋରି ହୋଇଥିଲା। ତେବେ ପୁଲିସ ଏହି ଘଟଣାର ଚାନଭିନକରି ଜାଣିବାକୁ ପାଇଲା ଯେ, ନିଜେ ଟ୍ରକ୍ ଚାଳକ ଆଲୋକ ସେଠୀ ଓ ତାଙ୍କର ୨ ସହଯୋଗୀ ଢ଼େଙ୍କାନାଳ ଟାଉନ୍ ଥାନା ଅଞ୍ଚଳର ଚିନୁ ଓରଫ ପ୍ରିୟବ୍ରତ ପଣ୍ଡା(୨୩) ଓ ଟଗୁ ଓରଫ ଦିପ୍ତି ରଞ୍ଜନ ବେହେରା(୨୨) ଏକ ପିକ୍ ଅପ୍ ଭ୍ୟାନ୍(ଓଡି୦୬ଜେ-୦୫୪୯)ରେ ଆସି ଟ୍ରକ୍ ଚକା ଓ ବ୍ୟଟେରୀ ଚୋରି କରିଥିଲେ। ପୁଲିସ ଟ୍ରକ ଚାଳକ ଆଲୋକ ଓ ୨ ସହଯୋଗୀଙ୍କୁ ଗିରଫ କରିବାସହ, ୫ଟି ଟ୍ରକ ଚକା, ବ୍ୟାଟେରୀ ଓ ପିକ୍ଅପ୍ ଭ୍ୟାନ୍କୁ ଜବତକରିଛି। ରବିବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।