ଘଟଣା ଓ ଦୁର୍ଘଟଣା

ଛେଳିପଲ ଚାଲି ଆସିବାରୁ ବାଇକରୁ ପଡ଼ି ୩ ଗୁରୁତର, ନିଜ ଗାଡ଼ିରେ ହସ୍ପିଟାଲ ନେଲେ ପୋଲିସ ଇନ୍ସପେକ୍ଟର

By Angul TV Bureau

June 29, 2024

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସୀମାନ୍ତ ବୁଢ଼ାପାଳ ନିକଟସ୍ଥ ପରା ଗ୍ରାମର ସିମାଯୋରି ନିକଟରେ ବାଇକରୁ ପଡ଼ି ୩ ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ, ଆଜି ସକାଳେ କଣିହାଁ ଅଞ୍ଚଳର ମଣ୍ଡୁଆ ଗ୍ରାମର ଶମ୍ଭୁନାଥ ବେହେରା (୩୫), ଝିଅ ପୂଜା ବେହେରା (୧୧) ଓ ପୁତୁରା ଅମର ବେହେରା (୨୩) ସହିତ ଏକ ପଲସର୍ ବାଇକ (ଓଡ଼ି ୧୯ ଇ ୪୬୩୩) ରେ ବୁଢାପାଳ ଆଡୁ ନିଜ ଘର ମଣ୍ଡୁଆ ଆଡ଼କୁ ଯାଉଥିଲେ। ସୀମାଯୋରି ନାଳ ନିକଟରେ ହଠାତ୍ ରାସ୍ତା ଉପରକୁ ଛେଳିପଲ ଆସିଯିବାରୁ ଭାରସାମ୍ୟ ହରାଇ ବାଇକଟି ରାସ୍ତା ତଳକୁ ଖସିପଡ଼ିଥିଲା। ଫଳରେ ତିନିଜଣ ଆହତ ହୋଇଥିଲେ।ସିଆଇଡି ଇନ୍ସପେକ୍ଟର ତପନ କୁମାର ନାୟକ ନିଜ ଗାଡିରେ ସେମାନଙ୍କୁ ଡାକ୍ତରଖାନା ପହଞ୍ଚାଇ ଥିଲେ।

ଶମ୍ଭୁନାଥ ଓ ତାଙ୍କ ଝିଅ ପୂଜାଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅମରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଛେଣ୍ଡିପଦା ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ସମସ୍ତଙ୍କ ଅବସ୍ଥା ଭଲ ଥିବା ଜଣାଯାଇଛି।

ଅନ୍ୟପଟେ ସିଆଇଡି ଇନ୍ସପେକ୍ଟର ତପନ କୁମାର ନାୟକଙ୍କ ସାହାଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରାଯାଉଛି।