ଅନୁଗୁଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ପୁଣି ମହାବଳର ଗର୍ଜନ ଶୁଣିବାକୁ ମିଳିବ। ବାଘ ପାଇଁ ଜଙ୍ଗଲ ପ୍ରସ୍ତୁତ ହୋଇସାରିଛି ଏବଂ ସରକାରଙ୍କ ଅନୁମତି ମିଳିଲେ ବାହାର ରାଜ୍ୟରୁ ୧୨ଟି ବାଘ ଆଣି ଏଠାରେ ଛାଡ଼ିବାକୁ ବନ ବିଭାଗ ଯୋଜନା କରିଛି।
ବର୍ତ୍ତମାନ ସାତକୋଶିଆ ବାଘଶୂନ୍ୟ। ପୂର୍ବରୁ ଏହି ପ୍ରକଳ୍ପ ବିଫଳ ହୋଇଥିବାରୁ ବନ ବିଭାଗ ଏଥର ଅଧିକ ସତର୍କ। ଜଙ୍ଗଲର କୋର୍ ଅଞ୍ଚଳରୁ ରାଇଗୁଡ଼ା, କଟରଙ୍ଗ, ଟୁଲୁକା, ଅସନବାହାଳ ଓ ଭୁରୁକୁଣ୍ଡି ଗାଁ ସମ୍ପୂର୍ଣ୍ଣ ବିସ୍ଥାପିତ ହୋଇଛି। ଟିକରପଡ଼ା, ପୁରୁଣାକୋଟ୍ ଓ ଗୋପାଳପୁର ଗାଁର ବିସ୍ଥାପନ ପ୍ରକ୍ରିୟା ଚାଲିଛି। ଛୋଟକେଇ, ମଝିପଡ଼ା ଓ କରଡ଼ାପଡ଼ା ଗାଁରୁ ସ୍ବେଚ୍ଛାକୃତ ବିସ୍ଥାପନ ପାଇଁ ଆବେଦନ ଆସିଛି। ବଫର ଅଞ୍ଚଳରେ କେବଳ ଗଇଁଦି, ବେହେରାସାହି, ବଡ଼କ୍ଷେତା, ସାଲୁର ଓ ତରଭା ଗାଁ ରହିବ, ଯାହା ପ୍ରକଳ୍ପକୁ ବାଧା ସୃଷ୍ଟି କରିବ ନାହିଁ ବୋଲି ବିଭାଗ ଆଶା ରଖିଛି।
ବାଘମାନେ ଜନବସତି ଆଡ଼କୁ ନ ଆସିବା ପାଇଁ ଜଙ୍ଗଲରେ ଖାଦ୍ୟ ଓ ଚାରଣ ଭୂମି ବ୍ୟବସ୍ଥା କରାଯାଇଛି। ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ପାଇଛି, ଯାହା ବାଘଙ୍କୁ ଜଙ୍ଗଲ ଭିତରେ ରହିବାକୁ ସହାୟକ ହେବ।
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦେଶକ ଡ. ସଂଜୟ କୁମାର ସ୍ବାଇଁ କହିଛନ୍ତି, “କୋର୍ ଓ ବଫର ଅଞ୍ଚଳରୁ ଗାଁ ବିସ୍ଥାପନ ପ୍ରାୟତଃ ଶେଷ ହୋଇଛି। ସାତକୋଶିଆ ଏବେ ବାଘ ଛାଡ଼ିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସରକାରଙ୍କ ଅନୁମତି ମିଳିଲେ ପର୍ଯ୍ୟାୟକ୍ରମେ ୧୨ଟି ବାଘ ଏଠାରେ ଛାଡ଼ାଯିବ।”