oplus_2097152

ମୁଖ୍ୟ ଖବର

ଗଜଲକ୍ଷ୍ମୀ ପୂଜା ପାଇଁ ଅନୁଗୋଳରେ କଡ଼ା ସୁରକ୍ଷା ବ୍ୟବସ୍ଥା: ଅପରାହ୍ନ ୪ରୁ ରାତି ୧୨ ଯାଏଁ ଗାଡ଼ି ଚଳାଚଳ ଉପରେ କଟକଣା

By Angul TV Bureau

October 25, 2026

ଅନୁଗୋଳ : ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଅନୁଗୋଳ ସହର। ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରିଛି ଜିଲ୍ଲା ପୁଲିସ। ଜନସମାଗମ ନିୟନ୍ତ୍ରଣଠାରୁ ଆରମ୍ଭ କରି ଟ୍ରାଫିକ୍‌ ପରିଚାଳନା ପର୍ଯ୍ୟନ୍ତ ସବୁ ଦିଗ ଉପରେ ନଜର ରଖାଯାଇଛି।

ପୂଜା ସମୟରେ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଯାତାୟାତକୁ ସୁନିଶ୍ଚିତ କରିବା ପାଇଁ ପୂଜା ଅଞ୍ଚଳକୁ ୪ଟି ପୁଲିସ ସେକ୍ଟରରେ ବିଭକ୍ତ କରାଯାଇଛି। ଏଥିସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୧୫ଟି ଅସ୍ଥାୟୀ ପୁଲିସ ଫାଣ୍ଡି ସ୍ଥାପନ କରାଯାଇଛି। ଏହାଦ୍ୱାରା ପୂଜାମଣ୍ଡପ ନିକଟରେ ଭିଡ଼ ନିୟନ୍ତ୍ରଣ, ଆଇନଶୃଙ୍ଖଳା ରକ୍ଷା ଏବଂ ଯେକୌଣସି ଅପ୍ରୀତିକର ସ୍ଥିତିର ତୁରନ୍ତ ମୁକାବିଲା କରାଯାଇପାରିବ।

ଗଜଲକ୍ଷ୍ମୀ ପୂଜାରେ ଜନଗହଳିକୁ ଦୃଷ୍ଟିରେ ରଖି ସହରରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ଯାନବାହନକୁ ବାଦ୍‌ ଦେଲେ ଅପରାହ୍ନ ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସହର ଭିତରେ ଗାଡ଼ି ଚଳାଚଳ ଉପରେ ନିୟନ୍ତ୍ରଣ ରହିବ। ଅନ୍ୟପକ୍ଷରେ ଶ୍ରଦ୍ଧାଳୁଙ୍କ ଗାଡ଼ି ପାର୍କିଂ ପାଇଁ ସହରର ୩ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ପାର୍କିଂ ସ୍ଥଳରେ ଗାଡ଼ି ରଖିବା ସହ ଟ୍ରାଫିକ୍‌ ନିୟମ ପାଳନ କରିବାକୁ ପୁଲିସ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି।

ପୂଜା ଡ୍ୟୁଟିରେ ନିୟୋଜିତ ପୁଲିସ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ନିଜ ଦାୟିତ୍ୱ ନିଷ୍ଠାର ସହ ତୁଲାଇବାକୁ ଏସ୍‌ପି ରାହୁଲ ଜୈନ ପରାମର୍ଶ ଦେଇଛନ୍ତି। ଶନିବାର ଅପରାହ୍ନରେ ଡ୍ୟୁଟି ବଣ୍ଟନ ସମୟରେ ବିଭିନ୍ନ ଜିଲ୍ଲା ପୁଲିସ, ଥାନା ପୁଲିସ, ସୁରକ୍ଷାକର୍ମୀ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସେ ଏହି ପରାମର୍ଶ ଦେଇଥିଲେ। ଭିଡ଼ ନିୟନ୍ତ୍ରଣ ସହ ମହିଳା, ବୟସ୍କ ଓ ଶିଶୁଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଛି। ଏଥିସହ ଜନସାଧାରଣଙ୍କ ସହ ସୌଜନ୍ୟପୂର୍ଣ୍ଣ ବ୍ୟବହାର କରିବା ଏବଂ ଆବଶ୍ୟକ ସମୟରେ ତୁରନ୍ତ ସହଯୋଗ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ପାର୍ବଣର ଆନନ୍ଦ ମଧ୍ୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥିପାଇଁ ପୁଲିସ ସହ ସହଯୋଗ କରିବା, ଟ୍ରାଫିକ୍‌ ନିୟମ ମାନିବା ଏବଂ ନିର୍ଦ୍ଧାରିତ ସ୍ଥାନରେ ଗାଡ଼ି ପାର୍କିଂ କରିବାକୁ ସହରବାସୀ ଓ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରାଯାଇଛି।