ମୁଖ୍ୟ ଖବର

ବନବିଭାଗ ଗାଡ଼ିରେ କାଠ ଚାଲାଣ ଘଟଣା: ଆଠଗଡ଼ ଡିଏଫଓଙ୍କୁ ତଦନ୍ତଭାର

By Angul TV Bureau

May 28, 2026

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ସରକାରୀ ଗାଡ଼ିରେ କାଠ ଚାଲାଣ ଘଟଣା ଏବେ ଅନୁଗୁଳ ଜିଲ୍ଲାରେ ଚହଳ ସୃଷ୍ଟି କରିଛି। ଗଞ୍ଜେଇ ଚାଲାଣ ସନ୍ଦେହରେ ଜରପଡ଼ା ପୋଲିସ ଚେକିଂ କରୁଥିବା ବେଳେ, ଜିଲିଣ୍ଡା ରେଞ୍ଜର ଲିଙ୍ଗରାଜ ଭୋଇଙ୍କ ସରକାରୀ ବୋଲେରୋ ଗାଡ଼ିରୁ (ଓଡ଼ି୦୫ ସିଜି ୧୩୮୮) ବିପୁଳ ପରିମାଣର ସାଇଜ୍ ଶାଗୁଆନ କାଠ ଜବତ ହୋଇଥିଲା। ଅଫିସ୍ କାମର ଆଳ ଦେଖାଇ ରେଞ୍ଜର ଗାଡ଼ି ସହ କାଠ ମୁକୁଳାଇ ନେଇଥିଲେ।

ଏହି ସମ୍ବେଦନଶୀଳ ଘଟଣା ପରେ ସାତକୋଶିଆ ଡିଏଫଓଙ୍କ କାର୍ଯ୍ୟାଳୟରେ ସମସ୍ତ ରେଞ୍ଜରଙ୍କୁ ନେଇ ଏକ ଜରୁରୀ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି। ଗଣମାଧ୍ୟମର ପ୍ରଶ୍ନବାଣର ସମ୍ମୁଖୀନ ହୋଇ ରେଞ୍ଜର ଶ୍ରୀ ଭୋଇ କହିଛନ୍ତି ଯେ, ସେ ସରକାରୀ ଡିପୋରୁ କାଠ କିଣି ନିଜ ଘର ରେଢ଼ାଖୋଲକୁ ନେଉଥିଲେ ଏବଂ ସରକାରୀ ଗାଡ଼ି ବ୍ୟବହାର ବାବଦକୁ ସେ ଦିନକର ଭଡ଼ା ଦେଇଦେବେ।ତେବେ କେଉଁ ଡିପୋରୁ ଏହି କାଠ କିଣାଯାଇଥିଲା, ସେ ନେଇ ସେ ମୁହଁ ଖୋଲିନାହାନ୍ତି। ଏହି ବେଆଇନ କାର୍ଯ୍ୟକଳାପର ସତ୍ୟାସତ୍ୟ ପରଖିବା ପାଇଁ ଆଠଗଡ଼ ଡିଏଫଓଙ୍କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ତଦନ୍ତ ପରେ ହିଁ ସମ୍ପୂର୍ଣ୍ଣ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ଆଶା କରାଯାଉଛି।