ଘଟଣା ଓ ଦୁର୍ଘଟଣା

ସିଙ୍ଗଡ଼ା ନଦୀରୁ ବାଲି ଚୋରା ଚାଲାଣ, ଟିପର ଓ ଦୁଇ ଜେସିବି ଜବତ, ଦୁଇ ଗିରଫ

By Sanjeeb Biswal

June 09, 2021

ଅନୁଗୁଳ: ସୋମବାର ରାତିରେ ଛେଣ୍ଡିପଦା ତହସିଲ୍ ଇଲାକା ସିଙ୍ଗଡ଼ା ନଦୀରୁ ବାଲି ଚୋରା ଚାଲାଣ ବେଳେ ଉପଜିଲ୍ଲାପାଳ ଓ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ। ନଦୀ ପଠାରୁ ୨ଟି ଜେସିବି ଓ ଗୋଟିଏ ଟିପ୍ପର ଜବତ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସିଙ୍ଗଡ଼। ନଦୀରୁ ମାଫିଆମାନେ ବେଧଡ଼କ ବାଲି ଚୋରାରେ ଉତ୍ତୋଳନ କରି ଚାଲାଣ କରିଆସୁଥିଲେ । ଗତ ବିଳମ୍ବିତ ରାତିରେ ବାଲି ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ଏବଂ ନିଶା ଶିଳ୍ପାଞ୍ଚଳ ଥାନା ଅଧିକାରିଣୀ ପ୍ରୀତିମଞ୍ଜରୀ ମେଣ୍ଡୁଳି ସଦଳବଳ ସିଙ୍ଗଡ଼ା ନଦୀ ଅବବାହିକାରେ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ଗାଡ଼ି ଜବତ କରାଯାଇଥିବା ବେଳେ ଅପରେଟର୍ ଅନ୍ତୁଳିଆ ଟାପଢୋଲ ଅଞ୍ଚଳର ସୁଜିତ ସାହୁ ଓ ରିଆମାଳ ଅଞ୍ଚଳର ବିକାଶ ନାଏକକୁ ଗିରଫ କରାଯାଇଥିଲା। ଏହି ଚୋରା ବାଲି ଚାଲାଣ ରାକେଟ୍‌ରେ ଅନେକ ଲୋକଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ ପ୍ରକଟ କରିଛି। ଦୁଇ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି।