କଳା ଓ ସଂସ୍କୃତି

ଆଜି ପବିତ୍ର ଅଁଳା ନବମୀ

By Swagatika Samantray

November 02, 2022

ଅନୁଗୁଳ: ଆଜି ହେଉଛି ପବିତ୍ର ଅଁଳା ନବମୀ। କାର୍ତ୍ତିକ ମାସର ଶୁକ୍ଳପକ୍ଷର ନବମୀକୁ ଅଁଳା ନବମୀ ଭାବେ ପାଳନ କରାଯାଏ। ଏହାକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ।ଏହି ଦିନ ଅଁଳା ବୃକ୍ଷକୁ ପୂଜାର୍ଚ୍ଚନା କରିବାର ନିୟମ ରହିଛି। ତେଣୁ ଏହାକୁ ଅଁଳା ନବମୀ ବୋଲି କୁହାଯାଏ। ମାନ୍ୟତା ଅନୁଯାୟୀ, ଅଁଳା ବୃକ୍ଷରେ ଭଗବାନ ବିଷ୍ଣୁ ବାସ କରିଥାଆନ୍ତି।  କାର୍ତ୍ତିକ ଶୁକ୍ଳ ନବମୀରେ ଅଁଳା ବୃକ୍ଷକୁ ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ। ଜୀବନରେ ଖୁସି, ସୁଖସମୃଦ୍ଧି, ଧନସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ପରିବାରରେ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ।

ଅଁଳା ନବମୀରେ ଅଁଳା ବୃକ୍ଷର ପରିକ୍ରମା କରି ସୂତା ବାନ୍ଧିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହିଦିନ ଅଁଳା ବୃକ୍ଷ ତଳେ ସାତ୍ତ୍ୱିକ ଭୋଜନ କରିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ମିଳିଥାଏ। ପଦ୍ମପୁରାଣ ଅନୁଯାୟୀ, ଅଁଳା ନବମୀ ଦିନ ଏହି ବୃକ୍ଷର ପୂଜା କରିବା ଦ୍ୱାରା ପାପ ନଷ୍ଟ ହୋଇଥାଏ। ତେଣୁ ଏହାକୁ ଅକ୍ଷୟ ନବମୀ କୁହାଯାଏ। ଆଜି ଅଁଳା ବୃକ୍ଷକୁ ପୂଜାର୍ଚ୍ଚନା ଦ୍ୱାରା ଧନ, ବିବାହ, ସନ୍ତାନ, ଦାମ୍ପତ୍ୟ ଜୀବନ ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ଅଁଳାର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ। ଏହିଦିନ ଅଁଳା ବୃକ୍ଷ ତଳେ ବସି ଭୋଜନ କରିବା ସହ ଅସହାୟଙ୍କୁ ଭୋଜନ କରାଇବା ଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ।