ମୁଖ୍ୟ ଖବର

ଆଜି ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ଜାଣନ୍ତୁ ତାଙ୍କ ସଂଘର୍ଷମୟ କାହାଣୀ

By Angul TV Bureau

April 14, 2023

ଅନୁଗୁଳ : ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ରାମଜୀ ଆମ୍ବେଦକରଙ୍କର ଆଜି ଜନ୍ମ ଦିନ। ୧୮୯୧ ଏପ୍ରିଲ ଆଜି ଦିନରେ ସେ ମଧ୍ୟ ପ୍ରଦେଶର ଏକ ମରାଠୀ ପରିବାରରେ ଜନ୍ମ ହୋଇଥିଲେ। ଦରିଦ୍ର ଓ ଅଛୁଆଁ ଜାତିର ହୋଇଥିବାରୁ ସେ ଶୈଶବରୁ ସାମାଜିକ-ଅର୍ଥନୈତିକ ଭେଦଭାବର ଶିକାର ହୋଇଥିଲେ। ସ୍କୁଲ୍‌ରେ ଉଚ୍ଚ ଜାତିର ସହପାଠୀଙ୍କ ଠାରୁ ତାଙ୍କୁ ଦୂରରେ ବସିବାକୁ ପଡୁଥିଲା। ୧୪ ଜଣ ଭାଇଭଉଣୀଙ୍କ ମଧ୍ୟରୁ କେବଳ ସେ ହାଇସ୍କୁଲ୍‌ରେ ପାଦ ମାଡ଼ିପାରିଥିଲେ। ୧୮୯୭ରେ ତାଙ୍କ ପରିବାର ମୁମ୍ବାଇ ଚାଲିଆସିଥିଲା। ସେଠାରେ ଏଲ୍‌ଫିନଷ୍ଟୋନ୍ କଲେଜରୁ ସ୍ନାତକ ହାସଲ କରି ଆମ୍ବେଦକର ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିଲେ ଏବଂ କ୍ରମେ ବିଦେଶରୁ ଅର୍ଥନୀତିରେ ପିଏଚ୍.ଡି ହାସଲ କରିଥିବା ପ୍ରଥମ ଭାରତୀୟ ପାଲଟିଗଲେ। ୧୯୧୭ରେ ସେ ଭାରତ ଫେରି ସିଡ଼େନହମ୍ କଲେଜରେ ପ୍ରାଧ୍ୟାପକ ରୂପେ ଯୋଗ ଦେଇଥିଲେ। କିନ୍ତୁ ସେଠାରେ ଭେଦଭାବର ଶିକାର ହୋଇ ସେ ଅଧ୍ୟାପନା ବୃତ୍ତି ଛାଡ଼ି ଓକିଲାତି କଲେ। ଏହି ସମୟରେ ସେ ଦଳିତ ଅଧିକାର ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ।

ତାଙ୍କ ନୀତି ଓ ଆଦର୍ଶ ଦେଶର କୋଟି କୋଟି ଦଳିତଙ୍କୁ ସ୍ବାଭିମାନ, ଆତ୍ମସମ୍ମାନ ଓ ଦାୟିତ୍ବସମ୍ପନ୍ନ ଜୀବନଯାପନର ପଥ ପ୍ରଦର୍ଶନ କରିଆସୁଛି। ୧୯୨୦ରେ ଏକ ସାପ୍ତାହିକ ମରାଠୀ ଖବରକାଗଜ ଆରମ୍ଭ କରି ଜାତିଭେଦର କଡ଼ା ସମାଲୋଚନା କରିବା ସହିତ ବୈଷମ୍ୟ ବିରୋଧରେ ଲଢ଼ିବା ପାଇଁ ସେ ଆହ୍ବାନ କରିଥିଲେ। ସାମାଜିକ ନ୍ୟାୟ ବିନା ରାଜନୈତିକ ସ୍ବାଧୀନତା ଜାତୀୟ ଏକତାକୁ ସୁନିଶ୍ଚିତ କରିପାରିବ ନାହିଁ ବୋଲି ସେ ଦୃଢ଼ ବିଶ୍ବାସ କରୁଥିଲେ। ସମ୍ବିଧାନର ଖସଡ଼ା ପ୍ରସ୍ତୁତି ଓ ଅଛୁଆଁ ଭେଦଭାବକୁ ବେଆଇନ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ସ୍ବାଧୀନତା ପରେ ସେ ଭାରତର ପ୍ରଥମ ଆଇନ ମନ୍ତ୍ରୀ ହୋଇଥିଲେ। ହିନ୍ଦୁ ସମାଜରେ ଥିବା ଭେଦଭାବକୁ ବିରୋଧ କରି ୧୯୫୬ରେ ନାଗପୁର ଠାରେ ଦୁଇ ଲକ୍ଷ ଦଳିତଙ୍କ ସହ ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ୧୯୫୬ ଡିସେମ୍ବର ୬ ତାରିଖରେ ବାବାସାହେବ ଆମ୍ବେଦକରଙ୍କ ତିରୋଧାନ ହୋଇଥିଲା। ୧୯୯୦ରେ ତାଙ୍କୁ ମରଣୋତ୍ତର ଭାବେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ ପ୍ରଦାନ କରାଯାଇଥିଲା।