ଅନୁଗୁଳ: ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ’ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’। ଏହି ଲୋକପ୍ରିୟ ଉକ୍ତିର ରଚୟିତା ତଥା ମହାନ ସନ୍ଥ ଭୀମ ଭୋଇଙ୍କର ଆଜି ଜୟନ୍ତୀ। ଯୋଗଜନ୍ମା ମହାପୁରୁଷ, ମହାନ ସନ୍ଥ, ଅସାଧାରଣ ଧୀଶକ୍ତିସଂପନ୍ନ (ଜାତସ୍ମର) ପ୍ରତିଭୂ, ମହିମା ଅଲେଖ ଧର୍ମର ମହାନ ଉଦ୍ଗାତା, ସନ୍ଥକବି ଭୀମ ଭୋଇ ୧୮୫୦ ମସିହା ପବିତ୍ର ବୈଶାଖ ପୂର୍ଣ୍ଣମାରେ ଜନ୍ମ ଗ୍ରହଣ କରିଥିଲେ। ସେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଜଟାସଂଘା ଗାଁ ମୁଣ୍ଡର ତାଳବଣିଆର ଏକ ଗରିବ କନ୍ଧ ପରିବାରରେ ଜନ୍ମ ନେଇଥିଲେ। ପିଲାଟି ଦିନରୁ ତାଙ୍କ ମା’ଙ୍କ ବିୟୋଗ ହୋଇଥିଲା। ଆଜନ୍ମ ଦୃଷ୍ଟିହୀନ ଭୀମଭୋଇ ଏକାଧାରରେ ଥିଲେ ଜଣେ ସ୍ରଷ୍ଟ୍ରା ଓ ଦ୍ରଷ୍ଟା। ସମାଜ ହିତରେ ଆତ୍ମୋର୍ତ୍ସଗ ହିଁ ଥିଲା ତାଙ୍କ ବାଣୀ ଓ ବଚନ, ଆଚାର ଓ ବିଚାର।
ଭୀମ ଭୋଇଙ୍କ ରଚିତ ସ୍ତୁତି ଚିନ୍ତାମଣି, ବୃହତ୍ ଭଜନମାଳା, ବ୍ରହ୍ମନିରୂପଣ ଗୀତା, ଆଦି ଅନ୍ତ ଗୀତା, ନିର୍ବେଦସାଧନ, ଶ୍ରୁତି ନିଷେଧଗୀତା, ବଙ୍ଗଳା ଆଠଭଜନ, ଚଉତିଶା ଗ୍ରନ୍ଥମାଳା, ବ୍ରାହ୍ମଚାଳକ, ପଦ୍ମକଳ୍ପ ଆଦି ଅନେକ କାବ୍ୟ କବିତା ଓ ଭଜନମାଳା ସାହିତ୍ୟର ବାଣୀଭଣ୍ଡାରକୁ ପରିପୂର୍ଣ୍ଣ କରିଛି। ୧୮୯୫ ମସିହା ଶିବ ଚତୁର୍ଦ୍ଦଶୀରେ ତାଙ୍କ ନିଧନ ହୋଇଥିଲା।