ମୁଖ୍ୟ ଖବର

ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର

By Angul TV Bureau

July 14, 2025

ଅନୁଗୁଳ: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। କାଉଡ଼ିଆ ଆଜି ବିଭିନ୍ନ ଶୈବ ପୀଠରେ ଜଳ ଲାଗି କରିବେ।ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ।

ପୌରାଣିକ କଥା ଅନୁସାରେ, ସମୁଦ୍ର ମନ୍ଥନ ଏହି ଶ୍ରାବଣ ମାସରେ ହୋଇଥିଲା। ସମୁଦ୍ର ମନ୍ଥନରୁ ବାହାରି ଥିବା ବିଷ ସମଗ୍ର ସଂସାରକୁ ବ୍ୟାପିଗଲା। ସଂସାରକୁ ରକ୍ଷା କରିବା ପାଇଁ ଭଗବାନ ଶିବ ଏହି ବିଷକୁ ପାନ କରିଥିଲେ। ଏହି କାରଣରୁ ଭଗବାନ ଶିବଙ୍କର କଣ୍ଠ ନୀଳ ପଡ଼ିଗଲା। ବିଷର ପ୍ରଭାବ ହ୍ରାସ କରିବା ପାଇଁ ସମସ୍ତ ଦେବା ଦେବୀ ଭୋଳେନାଥଙ୍କୁ ଜଳ ପାନ କରିବା ପାଇଁ ଦେଲେ। ସେବେଠାରୁ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ଏବଂ ଜଳାଭିଷେକ କରିବା ଏକ ପରମ୍ପରା ରହିଆସିଛି।

ସେହିଭଳି ଅନ୍ୟ ଏକ କଥାନୁସାରେ, ସହସ୍ରାବାହୁ ହତ୍ୟାର ପ୍ରାୟଶ୍ଚିତ କରିବା ପାଇଁ ପର୍ଶୁରାମ ପିତାଙ୍କ ଆଜ୍ଞାନୁସାରେ କଜରୀ ବଣ ଉତ୍ତରପ୍ରଦେଶ ବାଗପତ ନିକଟସ୍ଥ ‘ପୁରା ମହାଦେବ’ଙ୍କୁ ଗଙ୍ଗାନଦୀରୁ ଜଳଭାର ଆଣି ଅଭିଷେକ କରାଇଥିଲେ। ଏହାପରଠାରୁ ପର୍ଶୁରାମଙ୍କ ଅନୁସରଣରେ ଲୋକେ ଶ୍ରାବଣ ମାସରେ ଶିବଙ୍କୁ ଜଳାଭିଷେକ କରନ୍ତି ବୋଲି ବିଶ୍ବାସ ରହିଛି।

ହେଲେ ଦେଶରେ ଶ୍ରାବଣ ଜଳ ଲାଗିର ପରମ୍ପରା ଶ୍ରବଣକୁମାରଙ୍କଠାରୁ ଆରମ୍ଭ ହୋଇଥିବା ଅନେକ ବିଶ୍ୱାସ କରନ୍ତି। ସେ ତାଙ୍କ ମାତାପିତାଙ୍କ ଗଙ୍ଗାସ୍ନାନ ଇଚ୍ଛା ପୂରଣ ନିମନ୍ତେ ପ୍ରଥମେ କାଉଡ଼ିଆ ଯାତ୍ରା ଆରମ୍ଭ କରିଥିଲେ। ଏଥିପାଇଁ ସେ ଶ୍ରାବଣ ମାସରେ ହରିଦ୍ୱାରରେ ପହଞ୍ଚିଥିଲେ। ମାତାପିତାଙ୍କୁ ଗଙ୍ଗାସ୍ନାନ କରାଇବା ସହ କଳସୀରେ ଗଙ୍ଗାଜଳ ଭରି ନେଇଥିଲେ ଓ ଏହି ଠାରୁ କାଉଡ଼ିଆ ଯାତ୍ରାର ଆରମ୍ଭ ବୋଲି କୁହାଯାଏ।