ସ୍ୱତନ୍ତ୍ର

ଆଜି ବିଶ୍ୱ ପରିବେଶ ଦିବସ: ବିଗିଡିଗଲାଣି ଜିଲ୍ଲାର ପାଣିପାଗ

By Biswaranjan Pattnaik

June 05, 2022

ଅନୁଗୁଳ: ବିଶ୍ୱ ପରିବେଶ ଦିବସ ଅବସରରେ ଜଙ୍ଗଲ ବିଭାଗ ପକ୍ଷରୁ ସଭା ସମିତି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରକୃତି ମିତ୍ର ପ୍ରକୃତି ବନ୍ଧୁ ପୁରସ୍କାର ବି ଦିଆ ଯିବ। କିନ୍ତୁ ଗତ ଚାଳିଶ ବର୍ଷର ଇତିହାସକୁ ଯଦି ଦେଖାଯାଏ ଆଜି ଅନୁଗୁଳ ଜିଲ୍ଲାର ଜଳବାୟୁ ଢେର ବଦଳି ଯାଇଛି। ୨୦୨୨ରେ ଅନୁଗୁଳର ତାପମାତ୍ରା ୪୩ ରୁ ୪୪ ଡିଗ୍ରୀରେ  ପହଞ୍ଚିଲାଣି।ଗ୍ରୀଷ୍ମର ପ୍ରଖରତା ସାଙ୍ଗକୁ ଅବଧି ମଧ୍ୟ ବଢିଛି। ଏହାର ଅନେକ କାରଣ ରହିଛି। ଅନୁଗୁଳ ଜିଲ୍ଲାରେ କୋଇଲା ଖଣି ଏବଂ ଶିଳ୍ପ ପାଇଁ ଅନେକ ଜଙ୍ଗଲ କଟାଯାଇଛି ଏହାକୁ ଭରଣା କରିବାପାଇଁ ନୂତନ ଜଙ୍ଗଲ ସୃଷ୍ଟି କରାଯାଇ ନାହିଁ। ସହରିକରଣ ପାଇଁ ଗଛ କଟିଛି, ଜଳାଶୟ ପୋତା ଯାଇ ବସ୍ତି ଗଢାଯାଇଛି, ଭୂତଳ ଜଳର ମନ ଇଚ୍ଛା ବ୍ୟବହାର କରା ଯାଉଛି। ପଲିଥିନ ବ୍ୟବହାର ଜିଲ୍ଲାରେ ପୂର୍ବ ଭଳି ଚାଲୁ ରହିଛି।ଜିଲ୍ଲା ଦେଇ ଦୈନିକ ହଜାର ହଜାର ଗାଡି ମଟର ଚାଲୁଚି। ସେଥରୁ ବାହାରୁଥିବା ଧୂଆଁ ପରିବେଶକୁ ବିଗାଡୁଛି। ନିକଟରେ ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ପ୍ରାୟ କୋଡିଏଟି ନୂଆ ଖଣି ଖୋଳା ହେବ। ଏଥିପାଇଁ ସରକାରୀ ପ୍ରସ୍ତୁତି ଶେଷ ହେବା ଉପରେ।ଏହା ଫଳରେ ଅନୁଗୁଳ ଆଗାମୀ ଦଶ ବର୍ଷ ଭିତରେ ଏକ ତତଲା କଡେଇରେ ପରିଣତ ହେବ । ତାପମାତ୍ରା ୫୦ ଡିଗ୍ରୀ ପାଖା ପାଖି ପହଞ୍ଚି ଯିବ । ସେତେବେଳକୁ ଅନୁଗୁଳରେ ରହିବା ବେଶ କଷ୍ଟକର ହୋଇପଡିବ । ଜିଲ୍ଲା ଜଙ୍ଗଲ ବିଭାଗ ଓ ଜନ ସାଧାରଣ ବେଳହୁଁ ସାବଧାନ ହୋଇ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେଲେ ପରିସ୍ଥିତିରେ କିଛି ସୁଧାର ଆସିପାରେ।