ମୁଖ୍ୟ ଖବର

ବିଶ୍ଵ ମ୍ୟାଲେରିଆ ଦିବସ,ଜିଲ୍ଲାରେ ପ୍ରାଦୂର୍ଭାବ କମିଛି

By Biswaranjan Pattnaik

April 25, 2025

ଅନୁଗୁଳ: ଗତ ୫-୬ ବର୍ଷ ହେବ ଅନୁଗୁଳ ଜିଲ୍ଲାରେ କାଁ’ ଭାଁ’ ମ୍ୟାଲେରିଆରେ ଆକ୍ରାନ୍ତ ରୋଗୀଙ୍କୁ ଦେଖିବାକୁ ମିଳୁଛି। ରିପୋର୍ଟ ଅନୁସାରେ ୨୦୧୫ ରୁ ୨୦୧୯ ମଧ୍ୟରେ ଏହି ରୋଗକୁ ୯୯.୭୧ ପ୍ରତିଶତ କମା ଯାଇ ପାରିଛି। ଏନଭିଡିସିପି ଏବଂ ରାଜ୍ୟ ସରକାରଙ୍କ “ଦମନ” ଯୋଜନା ପାଇଁ ଏହି ରୋଗକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖା ଯାଇ ପାରିଛି। ଇତିହାସକୁ ଯଦି ଦେଖିବା ତେବେ ୨୦୧୦ ରୁ ୨୦୧୯ ମଧ୍ୟରେ ମ୍ୟାଲେରିଆରେ ଜିଲ୍ଲା ଥରୁଥିଲା। ୨୦୦୦ ରୁ ଆରମ୍ଭ ହୋଇ ମ୍ୟାଲେରିଆ ଜିଲ୍ଲାର ଆର୍ଥିକ,ସାମାଜିକ ସ୍ଥିତିକୁ ଏକ ପ୍ରକାର ଦୋହଲାଇ ଦେଇଥିଲା।ଅନୁଗୁଳ,ଆଠମଲ୍ଲିକ,କଣିହାଁ ଆଦି ବ୍ଲକର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ସତେ ଯେମିତି ଘର କରି ରହିଥିଲା। ଲୋକେ ମ୍ୟାଲେରିଆରେ ଆକ୍ରାନ୍ତ ହେଲେ ଡାକ୍ତରଖାନାକୁ ଆସୁନଥିଲେ। କ୍ୱାକ ହାବୁଡ଼ରେ ପଡ଼ି ଅନେକ ମୃତ୍ୟୁ ମୁଖରେ ପଡୁଥିଲେ। ମଶାରୀ ଟାଣି ଶୋଇବାର ଅଭ୍ୟାସ ନଥିଲା। ଶିଶୁ ମାନେ ମଧ୍ୟ ବାରମ୍ବାର ମ୍ୟାଲେରିଆରେ ପଡ଼ି ରକ୍ତହୀନତା ଓ ପୁଷ୍ଟିହୀନତାର ଶିକାର ହୋଇ ଅନେକ ସମସ୍ୟାରେ ପଡୁଥିଲେ।ପ୍ଲାଜ୍ମୋଡ଼ିୟମ ଫଲ୍ସିପାରମ ମଶା ଦ୍ଵାରା ଆମ ଜିଲ୍ଲାରେ ଅଧିକ ଆକ୍ରାନ୍ତ ହେଉଥିଲେ। କେବଳ ୨୦୧୦ ରୁ ୨୦୧୯ ମଧ୍ୟରେ ସରକାରୀ ଭାବେ ୨୯୮୫୩ ଟି କେଶ ଦର୍ଜ୍ କରାଯାଇଥିଲା। ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ବ୍ୟାପକତା ପରେ ଗାଁ-ଗାଁରେ ଆଶା ଦିଦିଙ୍କୁ ଆର-ଡି-କେ କିଟ୍ ଦେଇ ରକ୍ତ ପରୀକ୍ଷା ଓ ସଂଗେସଂଗେ ଔଷଧ ପ୍ରଦାନ, ମଶା ବଂଶ ନାଶ ପାଇଁ ବିଭିନ୍ନ ସଫେଇ କାର୍ଯ୍ୟକ୍ରମ ଆଉ ତା ସାଙ୍ଗକୁ ଔଷଧ ବୁଡ଼ା ମଶାରୀରେ ଶୋଇବା ଦ୍ଵାରା ମଶାଙ୍କ ପ୍ରାଦୁର୍ଭାବ ଧୀରେ ଧୀରେ କମିବାକୁ ଲାଗିଲା ଏବଂ ଆଜି ଜିଲ୍ଲାରେ ମ୍ୟାଲେରିଆ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ଲୋକେ ମଧ୍ୟ ସଚେତନ ହେଲେଣି ଏବଂ ମଶାରୀ ଟାଣି ଶୋଇବା ସହ ଘର ଚାରି ପାଖକୁ ସଫା ସୂତର ରଖୁଛନ୍ତି ଏବଂ ଜ୍ଵର ହେଲେ ରକ୍ତ ପରୀକ୍ଷା କରି ଆବଶ୍ୟକ ଔଷଧ ସେବନ କରୁଛନ୍ତି।