ମୁଖ୍ୟ ଖବର

ବିଶ୍ୱ ଜଳ ଦିବସ: ଅନୁଗୁଳରେ ପାନୀୟ ଜଳର ସଙ୍କଟ: ଦୈନିକ ପ୍ରାୟ ୫୦ ହଜାର ଲିଟର ବୋତଲ ପାଣି ବିକ୍ରି

By Biswaranjan Pattnaik

March 22, 2025

ଅନୁଗୁଳ: ୧୯୯୩ ମସିହାରୁ ସମଗ୍ର ବିଶ୍ୱରେ ପାଳିତ ହୋଇ ଆସୁଛି ବିଶ୍ୱ ଜଳ ଦିବସ। ଶୁଦ୍ଧ ପାନୀୟ ଜଳ ବା ମିଠା ଜଳର ସଂରକ୍ଷଣ ଏବଂ ଏହାର ଉପଯୁକ୍ତ ବ୍ୟବହାର ନେଇ ଜନ ସଚେତନତା କରିବା ଲକ୍ଷରେ ଏହି ସମାରୋହ ଅନୁଷ୍ଠିତ ହେଇ ଆସୁଛି।

ଏ ପରିପ୍ରେକ୍ଷୀରେ ଅନୁଗୁଳର କଥା ଯଦି ଧରା ଯାଏ ତେବେ ଦେଖିବା ଅନୁଗୁଳରେ ଆଜି ଜଳ ସଙ୍କଟ ରହିଛି। ଅତୀତରେ ଏହି ପାଣି ଅଭାବରୁ ଅନୁଗୁଳ ରାଜ୍ୟର ପ୍ରମୁଖ ସହରର ମାନ୍ୟତା ପାଇବାରେ ଅନ୍ତରାୟ ହୋଇଥିଲା ବୋଲି ଅନେକ ବରିଷ୍ଠ ନାଗରିକ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରତିଷ୍ଠା ହେବାର ୩୨ ବର୍ଷ ପରେ ଅନୁଗୁଳରେ ଶୁଦ୍ଧ ପାନୀୟ ଜଳର ଅଭାବ ରହିଛି। ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୈନିକ ୧ ନିୟୁତ ଲିଟର କ୍ଷମତା ବିଶିଷ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଯାଇ ସହରବାସୀଙ୍କୁ ପାଣି ଯୋଗାଇ ଦିଆଯାଉଛି। ସହରରେ ଶତାଧିକ ନଳକୂଅ, କୂଅ ରହିଛି କିନ୍ତୁ ଅନୁଗୁଳର ଭୁତଳ ଜଳରେ ମାତ୍ରାଧିକ କ୍ଷତିକାରୀ ଖଣିଜ ଲବଣ ଥିବାରୁ ସଚେତନ ସହରବାସୀ ଅନେକାଂଶରେ ଗ୍ରହଣ କରୁ ନାହାନ୍ତି।

ସହରରେ ଏକାଧିକ ୱାଟର ଏଟିଏମ ଅଚଳ ହୋଇ ପଡିଛି। ଏଣୁ ଲୋକେ ବୋତଲ ଓ ଜାର ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ସହରରେ ଦୈନିକ ପ୍ରାୟ ୫୦ ହଜାର ଲିଟର ପାଣି ବିକ୍ରି ହେଉଥିବା ଜଣା ପଡିଛି। ଅନୁଗୁଳ ସହର ଓ ଆଖପାଖ ଅଂଚଳରେ ପ୍ରାୟ ଏକ ଲକ୍ଷ ଲୋକ ରହୁଛନ୍ତି। ଏତେ ସଂଖ୍ୟକ ଲୋକଙ୍କ ପାଇଁ ପିଇବା ପାଣିର ଘୋର ଅଭାବ ରହିଛି।ଯେଉଁ ଜିଲ୍ଲାରୁ କୋଟି କୋଟି ଟଙ୍କାର ରାଜସ୍ବ ରାଜ୍ୟକୁ ଯାଉଛି ସେଠିକାର ଜନସାଧାରଣ ନିତି ପାଣି କିଣି ପିଇବା ବିଡମ୍ବନା ନୁହେଁକି??

ଚବିଶ ବର୍ଷ ପରେ ସରକାର ବଦଳିଛି ଅନୁଗୁଳ ବାସୀ ଅନ୍ତତଃ ଆଶା କରିବେ ସେମାନଙ୍କୁ ଖୁବ ଶୀଘ୍ର ଶୁଦ୍ଧ ପିଇବା ପାଣି ମୁନ୍ଦେ ମିଳିବ। ଜିଲ୍ଲାପାଳ ଶୁଣିବେକି ଲୋକଙ୍କ ସ୍ୱର !!