ଅନୁଗୁଳ: ଆମ ସଂସ୍କୃତିରେ ଧନଧାନ୍ୟ ଓ ଶ୍ରୀ ବୃଦ୍ଧି ପାଇଁ ସମସ୍ତେ ମା’ ଲକ୍ଷ୍ମୀଙ୍କୁ ଆରାଧନା ତଥା ଉପାସନା କରିଥାନ୍ତି। ମହାଲକ୍ଷ୍ମୀଙ୍କର ବିଭିନ୍ନ ବ୍ରତ ମଧ୍ୟରେ ସୁଦଶା ବ୍ରତ ଅନ୍ୟତମ। ପରିବାର ପାଇଁ ସୁ-ଦଶା ଅର୍ଥାତ୍ ଭଲ ସମୟ କାମନା କରି ଓଡ଼ିଆ ଘରର ସଧବା ମହିଳାମାନେ ମା’ଲକ୍ଷ୍ମୀଙ୍କର ଏହି ବ୍ରତ କରିଥାନ୍ତି। ପଦ୍ମ ପୁରାଣ ଅନୁସାରେ, ଯେକୌଣସି ମାସର ଶୁକ୍ଳପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ ସୁଦଶା ବ୍ରତ ପାଳନ ହୁଏ। ଏ ବ୍ରତ ଥରେ ଆରମ୍ଭ କଲେ ଆଜୀବନ କରିବାକୁ ହୁଏ। ଆମ ରାଜ୍ୟର ପୁରପଲ୍ଲୀରେ ଏହି ବ୍ରତ ପାଳିତ ହୋଇଥାଏ। ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀ ମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି।
ସେଥିପାଇଁ ସୁଦଶା ବ୍ରତରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡାରେ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଏଥିରେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରି ମହିଳାମାନେ ତାଙ୍କ ନାମରେ ନିଜର ଡାହାଣ ବାହୁରେ ଗୋଟିଏ ବ୍ରତ ପିନ୍ଧି ଥାଆନ୍ତି। ଏହି ବ୍ରତରେ ଦଶଟି ଗଣ୍ଠି ପଡ଼ିଥାଏ। ବ୍ରତର ବିଧି ଅନୁସାରେ, ଦଶଖିଅ ଧଳାସୂତାରେ ବ୍ରତସୂତା ପ୍ରସ୍ତୁତ ହୁଏ। ଦଶହାତ ମାପର ସୂତାକୁ ତ୍ରିଗୁଣ ବା ତିନିଖିଅ କରି ବଳି, ଏହି ବ୍ରତ ପ୍ରସ୍ତୁତ କରାଯାଏ। ପ୍ରଥମେ ଧଳାବ୍ରତକୁ ହଳଦୀ ପାଣିରେ ବୁଡ଼ାଯାଇ ସେଥିରେ ୧୦ଟି ଗଣ୍ଠି ପକାଯାଇଥାଏ। ଏହାର ପ୍ରତ୍ୟେକ ଗଣ୍ଠିରେ ଲକ୍ଷ୍ମୀଙ୍କ ବିଭିନ୍ନ ନାମ ଉଚ୍ଚାରଣ କରାଯାଏ। ତେବେ ୧୦ଟି ଗଣ୍ଠିର ନାମ ହେଲା, ଲକ୍ଷ୍ମୀ ନାରାୟଣୀ, କମଳିନୀ,ଶ୍ରୀହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ,ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି ନାଶିନୀ, ବିଷ୍ଣୁ ପାଟରାଣୀ। ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ ।