ମୁଖ୍ୟ ଖବର

ଆସନ୍ତା କାଲି ଦେଶ ପାଳିବ ୭୯ତମ ସ୍ୱାଧୀନତା ଦିବସ: ତ୍ରିରଙ୍ଗାରେ ରଙ୍ଗେଇ ହୋଇଛି ଅନୁଗୁଳ ସହର

By Angul TV Bureau

August 14, 2025

ଅନୁଗୁଳ: ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗ ନୁହଁ କି ନୁଆଁଦିଲ୍ଲୀର ରାଜପଥ ନୁହଁ। କିନ୍ତୁ ଯେ କେହି ମଧ୍ୟ ଦେଖିଲେ ସେଠାକାର ପରିବେଶକୁ ବର୍ତ୍ତମାନ ଅନୁଗୁଳରେ ଅନୁଭବ କରିପାରିବେ। କିଛି ଏଭଳି ଢଙ୍ଗରେ ଅନୁଗୁଳ ପୌରପାଳିକା ଏବଂ ଜିଲା ପ୍ରଶାସନ ସହରର ମୁଖ୍ୟ ସ୍ଥାନକୁ ସୁସଜ୍ଜିତ କରିଛନ୍ତି।

ରାଜ୍ୟ ରାଜଧାନୀ ଭୁବନେଶ୍ବର ହେଉ ଅବା ଦେଶର ରାଜଧାନୀ ନୁଆଁ ଦିଲ୍ଲୀ ସେଠାକାର ସାଜସଜ୍ଜା ସହ ତାଳ ଦେଇ ଅନୁଗୁଳ ସହର ୭୯ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତ ହୋଇଛି। ସହରର ଏକ ପ୍ରମୁଖ ଅଞ୍ଚଳ ଶିଶୁ ଉଦ୍ୟାନ ଠାରୁ ଥାନା ଛକ ଦେଇ ନିର୍ମାଣ ହୋଇଥିବା ହେଲଥ କରିଡର ଏବେ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ହୋଇଛି। ଏହି ସ୍ଥାନ ଗୁଡିକରେ ରାସ୍ତାର ଉଭୟ ପାର୍ଶ୍ଵରେ ତ୍ରିରଙ୍ଗା ରଙ୍ଗର କପଡ଼ାରେ ସାଜସଜ୍ଜା କରାଯାଇଛି। ଏପରିକି ପ୍ରତି ଖୁଣ୍ଟ ଗୁଡିକରେ ଜାତୀୟ ପତାକାକୁ ସମ୍ମାନ ପୂର୍ବକ ଲଗାଯାଇଛି।

ସରକାରୀ କାର୍ଯ୍ୟଳୟ ଗୁଡିକ ଆଲୋକମାଳାରେ ଝଲମଲ କରୁଥିବା ବେଳେ ଚଳିତ ବର୍ଷ ଧୁମଧାମରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି। ଗୁରୁବାର ସନ୍ଧ୍ୟା ସୁଧା ସହରର ପ୍ରମୁଖ ସ୍ଥାନ ଗୁଡିକରେ ଜାତୀୟ ପତାକା ସ୍ଥାପନ କରାଯାଇଥିବା ବେଳେ ପ୍ରତ୍ୟକ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଆସନ୍ତା କାଲି ପତାକା ଉତ୍ତୋଳନ କରାଯିବାକୁ ନିର୍ଦେଶ ରହିଛି। ଏଥି ସହ ଆସନ୍ତା କାଲି ଜିଲା ସ୍ତରୀୟ ପରେଡ଼ ପିଟିସି ଗ୍ରାଉଣ୍ଡରେ ଆୟୋଜନ ହେବ। ଚଳିତ ବର୍ଷର ସ୍ୱାଧୀନତା ଦିବସ ପାଳନ ପୂର୍ବର ପ୍ରସ୍ତୁତି ସହର ବାସୀଙ୍କୁ ଆକୃଷ୍ଟ କରିଛି।