ମୁଖ୍ୟ ଖବର

ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ରିପୋର୍ଟ: ଅନୁଗୁଳ ପାଣିରେ ମାତ୍ରାଧିକ ନାଇଟ୍ରେଟ ଓ ଫ୍ଲୋରାଇଡ

By Biswaranjan Pattnaik

January 04, 2025

ଅନୁଗୁଳ: ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ପକ୍ଷରୁ ନିକଟରେ ଦେଶର ଭୁତଳ ଜଳର ବାର୍ଷିକ ରିପୋର୍ଟ – ୨୦୨୪ ପ୍ରକାଶ ପାଇଛି। ଦେଶର ପ୍ରାୟ ୧୫ ହଜାରରୁ ଅଧିକ ସ୍ଥାନରୁ ଭୁତଳ ଜଳ ସଂଗ୍ରହ କରାଯାଇ ଏହାର ପରୀକ୍ଷା ନିରୀକ୍ଷା କରାଯାଇଥିଲା।

ଏହି ରିପୋର୍ଟର ଫଳାଫଳ ଓଡିଶା ପାଇଁ ଚିନ୍ତା ବଢ଼ାଇଛି। ରାଜ୍ୟର ପନ୍ଦରଟି ସ୍ଥାନରେ ନାଇଟ୍ରେଟ ସର୍ବନିମ୍ନ ସ୍ତରରୁ ଅଧିକା ଥିବା ବେଳେ ଫ୍ଲୋରାଇଡ ଦଶଟି ସ୍ଥାନରେ ଅଧିକା ଦେଖିବାକୁ ମିଳିଛି। ରାଜ୍ୟର ଅନୁଗୁଳ, ଢେଙ୍କାନାଳ, କେଉଁଝର, ବଲାଙ୍ଗୀର, ବରଗଡ଼ ଆଦି ଜିଲ୍ଲାରେ ନାଇଟ୍ରେଟ ଭୁତଳ ଜଳରେ ଅଧିକ ରହିଛି। କୃଷିରେ ମାତ୍ରାଧିକ ନାଇଟ୍ରେଟ ବ୍ୟବହାର, ମାଟିରେ ପଶୁଙ୍କ ମଳ ର ପରିମାଣ ବଢିବା ଏବଂ କେନାଲ, ନଦୀ ଆଦିରେ କଳ କାରଖାନାର ବିଷାକ୍ତ ଜଳ ପ୍ରବାହିତ ହେବା ଦ୍ୱାରା ଭୁତଳ ଜଳ ଦୂଷିତ ହେଉଛି।

ଗୋଟିଏ ଲିଟର ପାଣିରେ ୪୫ ମିଳିଗ୍ରାମରୁ ଅଧିକ ନାଇଟ୍ରେଟ ରହିଲେ ଏହା କ୍ଷତିକାରି ହୋଇଥାଏ। ଜଳରେ ନାଇଟ୍ରେଟ ଅଧିକା ହେଲେ ଶିଶୁ ମାନେ ଜନ୍ମ ସମୟରେ ସୁସ୍ଥ ହୋଇ ଜନ୍ମ ହୋଇ ନଥାନ୍ତି, ସେମାନଙ୍କୁ ଥାଇରଏଡ ଏବଂ ଅନେକ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ସେହିପରି ରିପୋର୍ଟରେ କୁହାଯାଇଛି ଅନୁଗୁଳ, ବଲାଙ୍ଗୀର, ଝାରସୁଗୁଡା, ବରଗଡ଼, ପୁରୀ ଆଦି ଜିଲ୍ଲାରେ ଭୁତଳ ଜଳରେ ଅଧିକ ଫ୍ଲୋରାଇଡ ରହିଛି। ବିଭିନ୍ନ କଳକାରଖାନା ଫ୍ଲୋରାଇଡ ଗ୍ୟାସ ଛାଡୁଥିବା ହେତୁ ବାୟୁ ଓ ଜଳ ପ୍ରଦୂଷିତ ହେଉଛି। ଏହା ଦ୍ୱାରା ସମ୍ପୃକ୍ତ ଅଂଚଳର ଲୋକମାନେ ଦାନ୍ତ, ହାଡ ଓ ଗଣ୍ଠି ସମସ୍ୟା ଭୋଗୁଛନ୍ତି। ଗୋଟେ ଲିଟର ପାଣିରେ ୧.୫ ମିଳିଗ୍ରାମରୁ ଅଧିକ ଫ୍ଲୋରାଇଡ ରହିଲେ ଏହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ସାବ୍ୟସ୍ତ ହୋଇଥାଏ। ମୋଟ ଉପରେ କହିବାକୁ ଗଲେ ଅନୁଗୁଳ ଜିଲ୍ଲାର ଭୁତଳ ଜଳର ଅବସ୍ଥା ଯାହା ଲୋକେ ଏହାକୁ ସିଧା ସଳଖ ପାନ କଲେ ରୋଗରେ ପଡିବା ନିଶ୍ଚିତ।