ଘଟଣା ଓ ଦୁର୍ଘଟଣା

ଅଦିନିଆ ବର୍ଷା ଓ କୁଆପଥର ମାଡ଼: ବଅଁରପାଳରେ ୨୦ରୁ ଅଧିକ ପରିବାର କ୍ଷତିଗ୍ରସ୍ତ

By Angul TV Bureau

April 08, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଅଦିନିଆ ବର୍ଷା ସହ ଭୟଙ୍କର କୁଆପଥର ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବିଶେଷ କରି ବଅଁରପାଳ ପଞ୍ଚାୟତର ବଙ୍ଗଳା ସାହି ଓ କଲେଜ ସାହିରେ କୁଆପଥର ମାଡ଼ରେ ପ୍ରାୟ ୨୦ରୁ ଅଧିକ ପରିବାରଙ୍କ ଆଜବେଷ୍ଟସ୍ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।

ସୂଚନା ଅନୁସାରେ, ଅଚାନକ ପାଗ ପରିବର୍ତ୍ତନ ହୋଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ମାତ୍ର ବଅଁରପାଳ ଅଞ୍ଚଳରେ ଏହାର ପ୍ରକୋପ ଅଧିକ ରହିଥିଲା। ଆକାଶରୁ ଖସିଥିବା ବଡ଼ ବଡ଼ କୁଆପଥର ମାଡ଼ରେ ଘରର ଆଜବେଷ୍ଟସ୍ ଫାଟି ଚୁରମାର ହୋଇଯାଇଛି। ଘର ଭିତରେ ଥିବା ଆସବାବପତ୍ର ନଷ୍ଟ ହେବା ସହ କିଛି ଲୋକ କୁଆପଥର ମାଡ଼ରେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି।

ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପ୍ରଭାବିତ ପରିବାରମାନେ ଏବେ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି। ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ବିପନ୍ନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।