ଅନୁଗୋଳ: ପତ୍ନୀଙ୍କୁ ମାନସିକ ନିର୍ଯାତନା ଦେବା ଓ ପରିବାର ଛାଡ଼ି ଦୂରେଇ ରହିବା ଜଣେ ସ୍ୱାମୀଙ୍କୁ ମହଙ୍ଗା ପଡ଼ିଛି। ଅନୁଗୋଳ ଫ୍ୟାମିଲି କୋର୍ଟ ପତ୍ନୀ ଓ ପୁଅଙ୍କ ଭରଣପୋଷଣ ବାବଦରେ ୧୬ ଲକ୍ଷ ଟଙ୍କା ଦେବାକୁ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, କାଣ୍ଡସରର ଅନିତା ସାହୁ ୨୦୧୩ ଫେବ୍ରୁଆରୀ ୧୩ରେ ଶାବଳଭଙ୍ଗାର ରାକେଶ କୁମାର ସାହୁଙ୍କୁ ବିବାହ କରିଥିଲେ। ବିବାହ ପରେ ପରିବାରର ସହମତିରେ ରାକେଶ ଘରଜ୍ୱାଇଁ ଭାବେ ଅନିତାଙ୍କ ଘରେ ରହୁଥିଲେ। ୨୦୧୪ରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପରେ ରାକେଶ ପତ୍ନୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରିବା ସହ ମଦ୍ୟପାନ କରି ଗଣ୍ଡଗୋଳ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା।
୨୦୧୬ ଅଗଷ୍ଟ ୨ରେ ରାକେଶ ଘର ଛାଡ଼ି ଚାଲିଯାଇଥିଲେ। ପରେ ଅନିତା ଫ୍ୟାମିଲି କୋର୍ଟର ଆଶ୍ରୟ ନେଇଥିଲେ। ମାମଲାର ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ବିଚାରପତି ପ୍ରବୀର କୁମାର ଚୌଧୁରୀ ରାକେଶଙ୍କୁ ତିନି ମାସ ମଧ୍ୟରେ ୧୬ ଲକ୍ଷ ଟଙ୍କା ଦେବାକୁ ଆଦେଶ ଦେଇଛନ୍ତି। ଅନିତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଯଶୋବନ୍ତ ନାରାୟଣ ପାଠୀ ମାମଲା ପରିଚାଳନା କରିଥିଲେ।