ମୁଖ୍ୟ ଖବର

ବାସି ଖାଦ୍ୟ ପାଇଁ ରାଗିଲେ ପର୍ଯ୍ୟଟକ: ଅଭିଯୋଗ ପରେ ବି ଶୁଣିଲାନି ଖାଦ୍ୟ ନିରାପତ୍ତା ବିଭାଗ, ଉପଜିଲ୍ଲାପାଳଙ୍କୁ ଫେରାଦ

By Angul TV Bureau

March 23, 2025

ଅନୁଗୁଳ: ଅନୁଗୁଳ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏକ ରେସ୍ତୋରାଁ ବାସି ଖାଦ୍ୟ ଦେବା ଘଟଣା ରବିବାର ଚର୍ଚ୍ଚାରେ ରହିଛି। ପର୍ଯ୍ୟଟକ ମାନେ ଏ ନେଇ ଖାଦ୍ୟ ନିରାପତ୍ତା ବିଭାଗକୁ ଫୋନ ମାଧ୍ୟମରେ ଜଣାଇଥିଲେ ମଧ୍ୟ କୌଣସି ଲାଭ ମିଳିନଥିବା କହିଛନ୍ତି। ପରେ ସେମାନେ ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଏନେଇ ଅଭିଯୋଗ କରିଥିବା ଜଣାପଡ଼ିଛି।

ସୂଚନା ମୁତାବକ, କଟକ ଅଲିସା ବଜାର ଅଞ୍ଚଳର ପାର୍ଥସାରଥୀ ନାୟକ ନାମକ ଜଣେ ବ୍ୟକ୍ତି ତାଙ୍କ ପରିବାର ସହ ସାତକୋଶିଆର ଟିକରପଡା ବୁଲିବାକୁ ଆସିଥିଲେ। ଫେରିବା ବେଳେ ସେ ପୁରୁଣାଗଡ଼ ଚନ୍ଦନପୁର ଅଞ୍ଚଳରେ ଏକ ରେସ୍ତୋରାଁକୁ ଖାଇବା ପାଇଁ ଯାଇଥିଲେ। ସାଙ୍ଗରେ ତାଙ୍କର ଦୁଇ ଛୋଟ ଛୁଆ ଥିବା ବେଳେ ଖାଦ୍ୟର ଅର୍ଡର ନେବାର ଦୁଇ ଘଣ୍ଟା ପରେ ଖାଦ୍ୟ ଆଣିଦେଇଥିଲେ। ଆଉ ପରସା ଯାଇଥିବା ଖାଦ୍ୟ ବାସି ବୋଲି ସେ ଅଭିଯୋଗ କରିଥିଲେ। କିନ୍ତୁ ରେସ୍ତୋରାଁ କର୍ତ୍ତୃପକ୍ଷ କୌଣସି କଥା ଶୁଣି ନଥିଲେ। ଘଟଣାସ୍ଥଳରେ ରହି ପାର୍ଥସାରଥୀ ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ଦାୟିତ୍ୱରେ ଥିବା ହରପ୍ରିୟା ବେହେରାଙ୍କୁ ଯୋଗାଯୋଗ କରିଥିଲେ। ହେଲେ ଖାଦ୍ୟ ନିରାପତ୍ତା ଅଧିକାରୀ କହିଥିଲେ ଯେ, ତୁମେ ଆସି ସିଡିଏମଓଙ୍କ ପାଖରେ ଏକ ଲିଖିତ ଅଭିଯୋଗ ଦିଅ ପରେ ଆମେ ଦେଖିବୁ। ଅଭିଯୋଗରେ କୌଣସି ଫଳ ନ ପାଇବା ପରେ ସେ ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କୁ ଏନେଇ ଅଭିଯୋଗ କରିଥିବା ଜଣାପଡ଼ିଛି। ଏହି ଘଟଣା ଆଜି ଅନୁଗୁଳରେ ଚର୍ଚ୍ଚାରେ ରହିଛି।