ଅନୁଗୁଳ: ସାରା ରାଜ୍ୟରେ କରୋନା ମହାମାରୀ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ଏହା ମଧ୍ୟରେ ସତର୍କତା ଅବଲମ୍ବନ କରିବା ପାଇଁ ସମସ୍ତ ପର୍ଯ୍ୟଟନ ସ୍ଥଳ ଓ ଜନସମାଗମ ଉପରେ ସରକାର କଟକଣା ଜାରି କରିଥିବା ବେଳେ ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖାଦେଇଛି।ମିଳିଥିବା ସୂଚନା ମୁତାବକ,ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ାରେ ସୋମବାର ପର୍ଯ୍ୟଟକଙ୍କ ଭିଡ଼ ଜମିବାର ଦେଖିବାକୁ ମିଳିଥିଲା । ଦୁଇ ଚକିଆରୁ ଆରମ୍ଭ କରି ଭଳିକି ଭଳି କାର ଟିକରପଡ଼ାରେ ପାର୍କିଂ ହୋଇଥିଲା। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକ ବିଶେଷ କରି ଯୁବ ଗୋଷ୍ଠୀ ସାମିଲ ଥିବା ବେଳେ ଗାଁ’ରେ ପଶିବା, ଖୋଲା ଜାଗାରେ ବସି ମଦ୍ୟପାନ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।ବାହାର ଲୋକ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରି ଅନାୟାସରେ ବୁଲୁଛନ୍ତି ଏବଂ ବନ ବିଭାଗ ଚୁପ୍ ରହିବା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।