ଅନୁଗୁଳ: ଅନୁଗୁଳ ସହରରେ ଥିବା ବିଭିନ୍ନ ପିଇବା ପାଣି ବିକ୍ରୀ ସଂସ୍ଥାଗୁଡିକ ଉପରେ ମଙ୍ଗଳବାର ଜନସ୍ୱାସ୍ଥ ବିଭାଗର ଚଢ଼ଉ ପରେ ଅପମିଶ୍ରିତ ପାଣି କାରବାର ହେଉଥିବା ଘଟଣା ସାମ୍ନାକୁ ଆସିଛି। ସହର ମଧ୍ୟରେ ଛତୁ ଫୁଟିବା ଭଳି ପିଇବା ପାଣି ବିକ୍ରୀ ସଂସ୍ଥା ଖୋଲିଥିବା ବେଳେ କୌଣସି ପାଣିର ଗୁଣବତ୍ତା ଠିକ୍ ନଥିବା ବିଭାଗ ଜାଣିବାକୁ ପାଇ ଏହି ଚଢ଼ାଉ କରିଥିଲା । ବିଭାଗର ଏକ ସ୍ଵତନ୍ତ୍ର ଟିମ୍ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନଞ୍ଜୟ ବେହେରାଙ୍କ ତତ୍ୱାବଧାନରେ ବିଭିନ୍ନ ପାଣି ବିକ୍ରୀ ସଂସ୍ଥାର ଯାଞ୍ଚ କରିଥିଲେ। ସମସ୍ତ ପାଣି ବିକ୍ରୀ ସଂସ୍ଥା ଖୋଲା ଜାରରେ ବଜାରରେ ପାଣି ବିକ୍ରୀ କରୁଥିବା ଦଳ ଜାଣିବାକୁ ପାଇଥିଲା । ଯେଉଁ ପାଣିକୁ ସେମାନେ ବଜାରରେ ବିକ୍ରୀ କରୁଛନ୍ତି ତାହା ନିମ୍ନମାନର ଓ ଶରୀର ପ୍ରତି କ୍ଷତିକାରକ ହୋଇପାରେ ବୋଲି ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଆଗାମୀ ଦିନରେ ବିଶୁଦ୍ଧ ଓ ଗୁଣବତ୍ତାଯୁକ୍ତ ପାଣି ବିକ୍ରି କରିବା ପାଇଁ ସଂସ୍ଥାମାନଙ୍କୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି।