ତାଳଚେର : ତାଳଚେର ଅଞ୍ଚଳରେ କାର୍ଯ୍ୟରତ ଟିପିସିଓଡିଏଲ କର୍ମଚାରୀ ମନଇଚ୍ଛା ବିଜୁଳି କାଟ କରିବା ସହ ଦାଦାଗିରି କରି ଉପଭୋକ୍ତାଙ୍କ ଠାରୁ ବଳପୂର୍ବକ ବିଦ୍ୟୁତ ବିଲ ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ବିଗତ କିଛି ମାସ ଧରି ଟିପିସିଓଡିଏଲ ପକ୍ଷରୁ ସମଗ୍ର ତାଳଚେର ବ୍ଲକ ଓ ସହରାଞ୍ଚଳରେ ବାରମ୍ବାର ବିଜୁଳି କାଟ ହେଉଛି। ଲାଇନ ରହୁନଥିଲେ ମଧ୍ୟ ଗ୍ରାହକଙ୍କୁ ମୋଟା ଅଙ୍କର ବିଦ୍ୟୁତ ବିଲ ଦିଆଯାଉଛି। ଏ ନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି।
ଏଣୁ ଏହାର ପ୍ରତିବାଦ କରି ସମ୍ପୃକ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ଅବସରରେ ମ୍ୟାନେଜର କମର୍ସିଆଲଙ୍କ ଉଦ୍ଦେଶ୍ୟରେ ଏସଡିଓ ମନୋଜ କୁମାର ପାଣିଙ୍କ ଜରିଆରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜକିଶୋର ସାହୁ, ସଂଗ୍ରାମ କେଶରୀ କୁଅଁର, ଅଭୟ ପାଣି, ବୀରବର ସାହୁ, ପ୍ରହଲ୍ଲାଦ ବେହେରା ପ୍ରମୁଖ ଦାବି ପତ୍ର ପ୍ରଦାନ କରିଛନ୍ତି।