ଘଟଣା ଓ ଦୁର୍ଘଟଣା

ହମ୍ପସ ଡେଇଁବା ବେଳେ ଟ୍ରାକ୍ଟର ସିଟରୁ ଖସି ଚକା ତଳେ ପଶିଗଲା ଡ୍ରାଇଭରଙ୍କ ମୁଣ୍ଡ, ଘଟଣାସ୍ଥଳରେ ମୃତ୍ୟୁ

By Sanjeeb Biswal

November 25, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ବରସାହି ପ୍ରାଥମିକ ବିଦ୍ୟାଳୟ ସାମ୍ନା ହମ୍ପସରେ ଟ୍ରାକ୍ଟରରୁ ପଡ଼ି ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ହଣ୍ଡପା ଥାନା ଖନ୍ଦାନାଳ ଗ୍ରାମର ବିଜୟ କୁମାର ସାହୁ।

ପୋଲିସ ସୂଚନା ମୁତାବକ, ବିଜୟ ଟ୍ରାକ୍ଟରରେ ଘରୁ କଖାରୁ ନେଇ ବାଗଡିଆ ହାଟକୁ ଆସିଥିଲେ। ସେଠାରୁ ସେ ଘର ଖନ୍ଦାନାଳ ଗାଁକୁ ଯାଉଥିବା ବେଳେ ବରସାହି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ହମ୍ପସରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇବାରୁ ବିଜୟ ଛିଟିକି ପଡ଼ି ଟ୍ରାକ୍ଟର ଚକ ତଳେ ପଡ଼ିଯାଇଥିଲେ। ଟ୍ରାକ୍ଟର ବିଜୟଙ୍କ ମୁଣ୍ଡ ଉପରେ ଚଢ଼ିଯିବା ସହିତ ବିଦ୍ୟାଳୟ ପାଚେରୀକୁ ଧକ୍କା ଦେଇଥିଲା। ଫଳରେ ପାଚେରୀ ଭାଙ୍ଗିବା ସହ ବିଜୟ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଛେଣ୍ଡିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ଚାଳକଙ୍କ ଶବକୁ ଜବତ କରିବା ସହିତ ବାଗଡ଼ିଆ ଥାନା କେସ ନଂ ୨୩୫/୨୪ରେ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ ଚଳାଇଛି।