ମୁଖ୍ୟ ଖବର

ରାଜ୍ୟରେ ପ୍ରଥମ: ସାଇବର ଅପରାଧ ଓ ଆର୍ଥିକ ଠକେଇ ନିରାକରଣ ଉପରେ ତାଲିମ ଶିବିର

By Biswaranjan Pattnaik

September 05, 2025

ଅନୁଗୁଳ: ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରାଜ୍ୟରେ ପ୍ରଥମଥର ପାଇଁ ସାଇବର ଅପରାଧ ଓ ଆର୍ଥିକ ଠକେଇ ମୁକାବିଲା କରିବା ପାଇଁ ଏକ ତାଲିମ ଶିବିର ଆୟୋଜିତ ହୋଇଯାଇଛି। ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବେ ଏହି ଶିବିରକୁ ଉଦଘାଟନ କରିଥିବା ବେଳେ ଏହି ଶିବିର ବିତ୍ତୀୟ ଠକେଇ ଓ ସମାଜରେ ବଢି ଚାଲିଥିବା ସାଇବର ଆକ୍ରମଣକୁ ପ୍ରତିହତ କରିବାରେ ଏହା ସହାୟକ ହେବ ବୋଲି ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଅନୁଗୁଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଏବଂ ଢେ଼ଙ୍କାନାଳ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ଶିବିରର ଆଭିମୁଖ୍ୟ ଓ ସଫଳତା ଉପରେ ଆଲୋକପାତ କରିଥିଲେ। ୬ ଡିଏସପି, ୧୯ ଇନ୍ସପେକ୍ଟର, ୨୫ ସବଇନ୍ସପେକ୍ଟର ଏବଂ ୧୩ ଜଣ ବଛାବଛା କନଷ୍ଟେବଳ ଏହି ତାଲିମ ଶିବିରରେ ଯୋଗ ଦେଇଥିଲେ। ଏହି ଶିବିରରେ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ୍ ପକ୍ଷରୁ ରବି ପ୍ରକାଶ ଶୁକ୍ଳା, ଜାତୀୟ ମ୍ୟାନେଜର, ପ୍ରଦୀପ୍ତ ଦାସ ମଜୁମଦାର, ଆଞ୍ଚଳିକ ପ୍ରବନ୍ଧକ, ସକିର ପରବେଜ୍, ଆଞ୍ଚଳିକ ପ୍ରବନ୍ଧକ, ପ୍ରଭାକର ଦାସ ଏରିଆ ମ୍ୟାନେଜର, ଭୁବନେଶ୍ୱର,ବିଶ୍ୱଜିତ ଷଡ଼ଙ୍ଗୀ, ଟେରିଟରି ମ୍ୟାନେଜର, ଭୁବନେଶ୍ୱର ଏବଂ ବିଶ୍ୱଜିତ୍ ପଟ୍ଟନାୟକ, ମ୍ୟାନେଜର ଆଇଡିଏଫସି, ଅନୁଗୁଳ ବିଶେଷଜ୍ଞ ବକ୍ତା ଭାବେ ଯୋଗ ଦେଇ ବିଭିନ୍ନ ପ୍ରକାର ସାଇବର ଠକେଇ ଓ ଏହାର ନିରାକରଣ ଉପରେ ତାଲିମ ଦେଇଥିଲେ।

ବିଶେଷଜ୍ଞ ମାନେ ବ୍ୟାଙ୍କିଙ୍ଗ ଫ୍ରଡ, ଅନଲାଇନ୍ ସ୍କାମ, ଅର୍ଥ ଦେଣନେଣ ବେଳେ ସତର୍କତା ଆଦି ଉପରେ ତାଲିମ ଦିଆଯିବ ସହ ଗ୍ରାହକ ମାନଙ୍କ ସଞ୍ଚିତ ଧନ କିଭଳି ସୁରକ୍ଷିତ ରହିବ ତା ଉପରେ ଫଳପ୍ରଦ ଆଲୋଚନା ହୋଇଥିଲା। ଅନୁଗୁଳ ପୋଲିସର ଏହି ନୂତନ ଆଭିମୁଖ୍ୟ ଜିଲ୍ଲାରେ ବଢ଼ି ଚାଲିଥିବା ସାଇବର କ୍ରାଇମକୁ ରୋକିବାରେ ନିଶ୍ଚିତ ସଫଳ ହେବ ବୋଲି କୁହା ଯାଉଛି।