ଅନ୍ୟାନ୍ୟ

ଅନୁଗୋଳକୁ ସବୁଜ ସୁନ୍ଦର କରିବା ପାଇଁ ଚାରାରୋପଣ

By Angul TV Bureau

August 29, 2026

ଅନୁଗୋଳ: ‘ଆସନ୍ତୁ ଗଛ ଲଗାଇବା, ଅନୁଗୋଳକୁ ସବୁଜ ସୁନ୍ଦର କରିବା’ ସଂକଳ୍ପ ନେଇ କଲ୍ୟାଣ ଅଭିଯାନ ଟ୍ରଷ୍ଟ ପକ୍ଷରୁ ବଅଁରପାଳ ପଞ୍ଚାଗଡ଼ ସୋମନାଥ ସିଂ ଜଗଦେବ କଲେଜ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ‘ସବୁ କାମ ପଛ, ଆଗ ଲଗାଇବା ଗଛ’ ନାରା ଦେଇ ଛାତ୍ରଛାତ୍ରୀମାନେ ଚାରାରୋପଣ କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଅଧ୍ୟାପକ ପାର୍ଥବୀର ନାୟକ ଯୋଗଦେଇ ଗଛର ଗୁରୁତ୍ୱ ସମ୍ପର୍କରେ ବୁଝାଇଥିଲେ। ଗଛ ଲଗାଇ ନିଜ ଛୁଆ ଭଳି ଯତ୍ନ ନେବାକୁ ସେ ପରାମର୍ଶ ଦେଇଥିଲେ। ଏଭଳି ଦିନ ନଆସୁ ଯେତେବେଳେ ପିଲାମାନେ ବ୍ୟାଗରେ ଅମ୍ଳଜାନ ଥଳି ନେଇ ସ୍କୁଲ ଯିବେ ବୋଲି ସେ ସତର୍କ କରାଇଥିଲେ।

ଏହି ଅବସରରେ ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ଭୋଇ, ଯୁବ ସମାଜସେବୀ ସୁନେଶ ପ୍ରଧାନ, ରଞ୍ଜିତ ଗଡନାୟକ, ପ୍ରିୟବ୍ରତ ପରିଡା, ମନ ମହାପାତ୍ର, କଲେଜର ବରିଷ୍ଠ କିରାଣୀ ଦୀନବନ୍ଧୁ ମାଝୀ, ପ୍ରଶାନ୍ତ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ। ଟ୍ରଷ୍ଟ ସଭାପତି ଲିପୁନ କୁମାର ପରିଡାଙ୍କ ସମେତ କଲେଜର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଭାପତି ସୂଚନା ଦେଇଛନ୍ତି।