ଅନୁଗୁଳ: ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ସର୍ବ ଭାରତୀୟ କମିଟି ଆହ୍ଵାନରେ ଦିଲ୍ଲୀ ଐତିହାସିକ ତିନି କଳା କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ଚାଲିଥିବା କୃଷକ ଆନ୍ଦୋଳନର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି। ଏ ଅବସରରେ ଅନୁଗୁଳ ଜିଲ୍ଲା କମିଟି ଆହ୍ୱାନରେ ଜିଲ୍ଲାର ଅନୁଗୁଳ ବସଷ୍ଟାଣ୍ଡ ସମେତ ବଅଁରପାଳ ବ୍ଲକର କୁମଣ୍ଡ, ବେଣାଗିଡିଆ, ଛେଣ୍ଡିପଦା ବ୍ଲକର ତେଣ୍ଟୁଲୋଇ, କୁକୁରପେଟା, କସିଡିହ, ବାଲିପଟ୍ଟା ପଞ୍ଚାୟତର ଚନ୍ଦ୍ରପୁର, ଦୁର୍ଗାପୁର, କଙ୍କରାଇ, କିଶୋର ନଗର ବ୍ଲକ ଆଦି ବିଭିନ୍ନ ସ୍ଥାନରେ ସହିଦ ବେଦୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ଆନ୍ଦୋଳନରେ ସଂଗଠନର ଜିଲ୍ଲା ସଭାପତି ସୁବାସ ପ୍ରଧାନ, ସଂପାଦକ ରଣଜିତ ପ୍ରଧାନ, ଉପସଭାପତି ନବକିଶୋର ପ୍ରଧାନ, କୁମର ସାହୁ, ସହ ସଂପାଦକ ସଂଜୟ ସାହୁ, ଉଦୟ ଭୋଇ, ପ୍ରମୋଦ ବେହେରା, ଶଙ୍କର ବେହେରା, ରମଣୀ ରଂଜନ ପ୍ରଧାନ ପ୍ରମୁଖ ଆହ୍ବାନ ଦେଇଥିଲେ। ପ୍ରକାଶ ଥାଉକି, ୨୦୨୦ ନଭେମ୍ବର ୨୬ ତାରିଖ ଦିନ କେନ୍ଦ୍ର ସରକାର କରୋନା ମହାମାରୀ ସମୟରେ ଅଗଣତାନ୍ତ୍ରିକ ଭାବେ କର୍ପୋରେଟର ସ୍ବାର୍ଥରେ ଚାଷୀ ସ୍ବାର୍ଥ ବିରୋଧୀ ତିନି କଳା କୃଷି ଆଇନ ପ୍ରଣୟନ କରିଥିଲେ। ଏହାସହିତ ବିଦ୍ୟୁତ୍ ସଂଶୋଧନ ଆଇନ ଆଣିଥିଲେ। ଏହା ବିରୁଦ୍ଧରେ ଦିଲ୍ଲୀର ଚାରିପଟ ସୀମାରେ ଲକ୍ଷ ଲକ୍ଷ ଚାଷୀ ଦୀର୍ଘ ତେରମାସ ଧରି ପୋଲିସର ଲାଠିଚାର୍ଜ, ଲୁହବୁହା ଗ୍ୟାସ ପ୍ରୟୋଗ,ବାରିକେଟ, କଣ୍ଟା ବାଡ଼, ମିଥ୍ୟା ମକଦ୍ଦମାକୁ ବେଖାତିର କରି ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନରେ ସାତଶହରୁ ଚାଷୀ ସହିଦ ହୋଇଥିଲେ। ପରେ କେନ୍ଦ୍ର ବିଜେପି ସରକାର ଆନ୍ଦୋଳନ ଚାପରେ ପାର୍ଲାମେଣ୍ଟରେ ଆଇନ ପ୍ରତ୍ୟାହାର କରିଥିଲା।