ମୁଖ୍ୟ ଖବର

ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ୍: ଡ୍ରାଇଭର ଜୀବନ୍ତ ଦଗ୍ଧ

By Angul TV Bureau

July 11, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ଗଙ୍ଗାଧରପୁର ନିକଟରେ ଆଜି ସକାଳୁ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ଦୁର୍ଘଟଣାରେ ପାଉଁଶ ବୋଝେଇ ହାଇୱା ଏବଂ ଏକ ଖାଲି ଟ୍ରକ୍ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଧକ୍କା ଏତେ ପ୍ରଚଣ୍ଡ ଥିଲା ଯେ ଗୋଟିଏ ଟ୍ରକରେ ତୁରନ୍ତ ନିଆଁ ଲାଗିଯାଇ ତାହା ଜଳିଯାଇଥିଲା। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପାଟବେଢ଼ା ଗ୍ରାମର ପ୍ରଶାନ୍ତ କୁମାର ସାହୁ (୫୫)। ଗୁରୁତର ଆହତ ଚାଳକଙ୍କୁ ପ୍ରଥମେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ପରେ ଅଧିକ ଚିକିତ୍ସା ପାଇଁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ କଣିହାଁ ଅଗ୍ନିଶମ ବାହିନୀ ଓ ସମଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ କରିଥିଲେ। ଦୁର୍ଘଟଣା ଯୋଗୁଁ ରାଜପଥରେ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସମଲ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।