ମୁଖ୍ୟ ଖବର

ପାଳଲହଡ଼ାରେ ଜିଆରପି ଏସ୍‌ପିଙ୍କ ବୋଲେରୋ ସହ ଟ୍ରକ୍‌ ଧକ୍କା, ଏସ୍‌ପି ଓ ଡ୍ରାଇଭର ଗୁରୁତର

By Angul TV Bureau

November 11, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ କାଇଁସରିପାଲି ଛକ ନିକଟରେ ମଧ୍ୟରାତ୍ରିରେ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ମାଲବାହୀ ଟ୍ରକ୍‌ର ଧକ୍କାରେ କଟକ ଓ ରାଉରକେଲା ଜିଆରପି ଦାୟିତ୍ୱରେ ଥିବା ଏସ୍‌ପି କୃଷ୍ଣ ପ୍ରସାଦ ଦାସ ଏବଂ ତାଙ୍କ ଡ୍ରାଇଭର ତାରାକାନ୍ତ ମହାନ୍ତି ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଏସ୍‌ପି ଶ୍ରୀ ଦାସ ଓ ଡ୍ରାଇଭର ଏକ ବୋଲେରୋରେ କଟକରୁ ରାଉରକେଲା ଯାଉଥିବା ବେଳେ କାଇଁସରିପାଲି ଛକ ନିକଟରେ ଟ୍ରକ୍‌ଟି ଗାଡ଼ିକୁ ଧକ୍କା ଦେଇଥିଲା। ଧକ୍କା ଯୋଗୁଁ ଉଭୟ ଗାଡ଼ି ଭିତରେ ଫସି ରହିଥିଲେ।

ଖବର ପାଇ ପାଳଲହଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ଉଭୟଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କୁ ପ୍ରଥମେ ପାଳଲହଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଟ୍ରକ୍‌କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛି।