ମୁଖ୍ୟ ଖବର

ସ୍କୁଟିକୁ ପଛରୁ ପିଟିଲା ଟ୍ରକ: ପୁଅ ଆଗରେ ଚାଲିଗଲା ବାପାଙ୍କ ଜୀବନ

By Angul TV Bureau

January 21, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ମାଲ୍ୟଗିରି ମହାବିଦ୍ୟାଳୟ ଛକ ନିକଟରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ ସ୍କୁଟିକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି। ମୃତକ ଜଣକ ତାଳଚେର ଥାନା ଗୁରୁଜାଙ୍ଗୁଲି ଅଞ୍ଚଳର କ୍ଷୀରୋଦ ପାଣିଗ୍ରାହୀ ବୋଲି ଜଣାପଡିଛି। ଆହତ ପୁଅ ସରୋଜ ପାଣିଗ୍ରାହୀଙ୍କୁ ଗୁରୁତର ଅବସ୍ଥାରେ ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, କ୍ଷୀରୋଦ ଓ ତାଙ୍କ ପୁଅ ସରୋଜ ପାଲଲହଡ଼ା ଛାମୁଣ୍ଡା ଅଞ୍ଚଳରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ମାଲ୍ୟଗିରି କଲେଜ ଛକ ନିକଟରେ ଏକ ଟ୍ରକ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଚାଳକ ଜଣକ ଟ୍ରକ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିବାରୁ ଦୀର୍ଘ ସମୟ ଧରି ଗାଡି ଚଳାଚଳ ବନ୍ଦ ରହିଥିଲା।

ଖବର ପାଇ ପାଳଲହଡ଼ା ପୋଲିସ ଅଧିକାରୀ କୈଳାସ ଚନ୍ଦ୍ର ସେଠୀ ସଦଳବଳେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦,୦୦୦ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ମୃତକଙ୍କ ସାନପୁଅ ପହଞ୍ଚିବା ପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ମହାବିଦ୍ୟାଳୟ ସମ୍ମୁଖରେ ଥିବା ଢାବା ଗୁଡ଼ିକ ଆଗରେ ଅନବରତ ଟ୍ରକ ଓ ଅନ୍ୟାନ୍ୟ ଗାଡି ଛିଡା ହେଉଥିବାରୁ ରାସ୍ତା ସଙ୍କୁଚିତ ହେଉଛି। ଫଳରେ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।