ମୁଖ୍ୟ ଖବର

ଟ୍ରକ୍ ମାଲିକ ସଂଘ ସାଧାରଣ ବୈଠକରେ ହଟ୍ଟଗୋଳ: ବରିଷ୍ଠ ସଦସ୍ୟ ଶୀର୍ଷ କାର୍ଯ୍ୟକର୍ତ୍ତାଙ୍କୁ ପାଠ ପଢ଼ାଇଲେ

By Biswaranjan Pattnaik

April 22, 2024

 

ଅନୁଗୁଳ: ଅନୁଗୁଳ ଟ୍ରକ୍ ମାଲିକ ସଂଘ ସଭା କକ୍ଷରେ ଗତ ରବିବାର ଆୟୋଜିତ ସଂଘର ସାଧାରଣ ବୈଠକରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ସଭା ଆରମ୍ଭରୁ ବରିଷ୍ଠ ସଦସ୍ୟ ମାନେ ଶୀର୍ଷ କାର୍ଯ୍ୟକର୍ତ୍ତାଙ୍କ ମନମୁଖୀ କାରବାର ବିରୁଦ୍ଧରେ ପାଟିତୁଣ୍ଡ ଆରମ୍ଭ କରିଥିଲେ। ନିଲମ୍ବିତ ୧୮ ଜଣ ମାଲିକଙ୍କୁ ପୁନଃସଂସ୍ଥାପିତ କରିବା ନେଇ ଏତେ ବିଳମ୍ବ କାହିଁକି ହେଉଛି ବୋଲି ଅନେକେ ପ୍ରଶ୍ନ କରିଥିଲେ। ଏଥିରେ ସେମାନଙ୍କ ନିଲମ୍ବନ ପ୍ରତ୍ୟାହାର କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସେହିଭଳି ଲୋକାଲ ଲୋଡ଼ିଂ ଚାଲାଣ ଅଫିସ କିରାଣୀଙ୍କ ପାଖେ ରହୁ ବୋଲି ଜଣେ କାର୍ଯ୍ୟକର୍ତ୍ତା କହିଥିବା ବେଳେ ଅନ୍ୟମାନେ ଏହା ଲୋଡିଂ ଇନ୍‌ଚାର୍ଜ ପାଖେ ରହୁ ବୋଲି ଦାବି କରିଥିଲେ। ଏଇ କଥାକୁ ନେଇ ପ୍ରବଳ ବାଦ ବିବାଦ ଘଟିବା ପରେ ବରିଷ୍ଠ ସଦସ୍ୟ ଅକ୍ଷୟ ସାମନ୍ତ ସମସ୍ତଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା। ଅଫିସ କାର୍ଯ୍ୟାଳୟ ନିୟମିତ ଓ ନିର୍ଦ୍ଧାରିତ ସମୟରେ ଖୋଲା ନ ଯିବାକୁ ମଧ୍ୟ କିଛି ସଦସ୍ୟ ବିରୋଧ କରିଥିଲେ।

ସଂଘର ଆୟକର ଜନିତ କୌଣସି ଖାତା ଖତିୟାନ୍ ନ ଥିବାରୁ ଅନୁଗୁଳ ଆୟକର ବିଭାଗ ଟିକସ ତଥା ପେନାଲଟି ବାବଦକୁ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କାର ନୋଟିସ ପଠାଇଥିବା ଏବଂ କୋର୍ଟରେ ଏହା ଉପରେ ରହିତାଦେଶ ନେଇ ମଧ୍ୟ ଅନେକ ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଗତ କିଛିବର୍ଷ ଧରି ଶୀର୍ଷ କାର୍ଯ୍ୟକର୍ତ୍ତାଙ୍କ ଅପାରଗତାରୁ ଏହି ଭଳି ବିଭ୍ରାଟ ଘଟୁଛି ବୋଲି ଅନେକ ବରିଷ୍ଠ ସଦସ୍ୟ ମତ ଦେଇଥିଲେ।

ଏ ପ୍ରସଙ୍ଗରେ ଆମେ ପୂର୍ବତନ କାର୍ଯ୍ୟକର୍ତ୍ତା ଅକ୍ଷୟ ସାମନ୍ତ,ଉପ ସଭାପତି ଅମରେଶ ସ୍ୱାଇଁ,କୋଷାଧ୍ୟକ୍ଷ ରଜତ ମହାପାତ୍ର ଏବଂ ସତ୍ୟାନନ୍ଦ ଦଳବେହେରାଙ୍କ ସହ ଯୋଗାଯୋଗ କରିଥିଲୁ। ସେମାନେ ବୈଠକରେ ଘଟିଥିବା ହଟ୍ଟଗୋଳକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ କିଛି ଶୀର୍ଷ କାର୍ଯ୍ୟକର୍ତ୍ତାଙ୍କ ଯୋଗୁଁ ସଂଘକୁ ବଦନାମ ମୁଣ୍ଡାଇବାକୁ ପଡ଼ିଛି ବୋଲି ପ୍ରକାଶ କରିଥିଲେ।