ମୁଖ୍ୟ ଖବର

ଟ୍ରକ ମାଲିକ ସଂଘ ସାଧାରଣ ବୈଠକ: ସଭା ଛାଡି ପଳାଇଲେ ସଭାପତି

By Biswaranjan Pattnaik

November 04, 2022

ଅନୁଗୁଳ: ଆଜି ଅନୁଗୁଳ ଟ୍ରକ ମାଲିକ ସଂଘର ଜେନେରାଲ ବଡି ମିଟିଂ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନର ନିର୍ଦେଶରେ ହୋଇଥିବା ଏହି ସ୍ୱତନ୍ତ୍ର ବୈଠକ ବେଶ ହୁଲସ୍ତୁଲ ହୋଇଥିଲା। ବୈଠକ ପାଇଁ ସଭାପତି ଓ ସମ୍ପାଦଙ୍କ ଗୋଷ୍ଠୀ ଅଲଗା ବୈଠକ କରି ରଣନୀତି ପ୍ରସ୍ତୁତ କରି ଯାଇଥିବାରୁ ସମସ୍ତଙ୍କ ନଜର ସଭା ଉପରେ ରହିଥିଲା। ସଭା ଆରମ୍ଭରେ ସ୍ୱାଗତ ଭାଷଣ ପରେ ପରେ ସମ୍ପାଦକଙ୍କ ଗୋଷ୍ଠୀ ପକ୍ଷରୁ ଅଭିଯୋଗର ବର୍ଷା ଆରମ୍ଭ ହୋଇଥିଲା।କରୋନା ସମୟରେ ୧୮ ଜଣ ସଦସ୍ୟଙ୍କ ସଭ୍ୟପଦ ନବୀକରଣ ନ କରିବା, ସମ୍ପାଦକ ପୋୖର ନିର୍ବାଚନରେ ବ୍ୟସ୍ତ ଥିବା ବେଳେ ସଭା ଡାକି ବେଆଇନ ଭାବେ ନିଷ୍ପତ୍ତି ନେବା ସମେତ ସଭାପତିଙ୍କ ସ୍ୱାର୍ଥପର କାର୍ଯ୍ୟକଳାପ ନେଇ ସଭାରେ ଘମାଘୋଟ ଯୁକ୍ତିତର୍କ ହୋଇଥିଲା।ଏଥିରେ ସତ୍ୟତା ନାହିଁ ବୋଲି ପ୍ରତିବାଦ କରି ସଭାପତି ଅମ୍ବିକା ଭଟ୍ଟ ସଭା ଛାଡି ପଳାଇଥିଲେ।

ସଂଘର ଉପଦେଷ୍ଟା ସତ୍ୟାନନ୍ଦ ଦଳ ବେହେରା ସଂଘର ନିୟମ ମାନି ସମସ୍ତେ ଚଳିବାକୁ କହିବା ସହ କ୍ଷତିଗ୍ରସ୍ତ ୧୮ଜଣ ସଦସ୍ୟଙ୍କ କଥା ସହୃଦୟତାର ସହ ବିଚାର କରାଯିବା କଥା ବୋଲି କହିଥିଲେ। ଏ ସଭା ପରେ ଏବେ ସଂଘର ବିବାଦ ନେଇ ପ୍ରଶାସନର ଆଭିମୁଖ୍ୟ କଣ ରହିବ ସେଥିନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏ ସମ୍ପର୍କରେ ସଭାପତି ଶ୍ରୀ ଭଟ୍ଟଙ୍କ ସହ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ।