ମୁଖ୍ୟ ଖବର

ସ୍ଥାନୀୟ ଖଣିରୁ କୋଇଲା ପରିବହନ ଦାବି: କେନ୍ଦ୍ର ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ଟ୍ରକ ମାଲିକ ସଂଘ

By Angul TV Bureau

July 05, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଟ୍ରକ ମାଲିକ ସଂଘ ପକ୍ଷରୁ ଗୁରୁବାର ସ୍ଥାନୀୟ କୋଇଲା ଖଣିରୁ ଅଗ୍ରାଧିକାର ଭିତ୍ତିରେ କୋଇଲା ପରିବହନ ପାଇଁ ଏକ ଦାବି ପତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ ଛେଣ୍ଡିପଦା ବ୍ଲକରେ ୧୯୯୬ ମସିହାରେ ଟ୍ରକ ମାଲିକ ମାନେ ଏକ ସଂଘ ଗଠନ କରିଥିଲେ। ସଂଘ ମାଧ୍ୟମରେ ଛେଣ୍ଡିପଦା ଏମସିଏଲ କୋଇଲା ଖଣି ରୁ ୨୦୦୫ ରୁ ୨୦୧୪ ପର୍ଯ୍ୟନ୍ତ ଛେଣ୍ଡିପଦାର ସମସ୍ତ ଟ୍ରକ କୋଇଲା ପରିବହନ କରି ଆସୁଥିଲା। ୨୦୧୪ ରେ ଏମସିଏଲ କୋଇଲା ଖଣି ବନ୍ଦ ହେବ ପରେ ସ୍ଥାନୀୟ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଟ୍ରକ ଚାଳକ ଓ ଟ୍ରକ ମାଲିକ ମାନେ ରୋଜଗାର ହରାଇବା ସହିତ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡିଥିଲା। ଏନେଇ ସ୍ଥାନୀୟ କୋଇଲା ଖଣିରେ ଅଗ୍ରାଧିକାର ଭିତ୍ତିରେ ଟ୍ରକ ପରିବହନ ପାଇଁ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ପାରି ନଥିଲେ। ଏବେ ଛେଣ୍ଡିପଦା ନିକଟରେ ଏସଏସସିଏଲ ପକ୍ଷରୁ ନୟନୀ କୋଇଲା ଖଣି ଖୋଲାଯାଇଛି। ଏହି କୋଇଲା ଖଣି ଏବେ ସୁଯୋଗ ଆଣିଥିବା ବେଳେ ଏକ ବାହାର ଠିକାଦାର ଏବଂ ଟ୍ରାକ୍ସପୋର୍ଟ ଏଜେନ୍ସି କୋଇଲା ଚାଲାଣ କାମ ନେଇଯିବା ଚେଷ୍ଟା କରୁଛିନ୍ତି, ଯାହାକୁ ଛେଣ୍ଡିପଦା ଟ୍ରକ ମାଲିକ ସଂଘ ବିରୋଧ କରିଛି। ସଂଘର ସଭାପତି ମହେଶ୍ୱର ବେହେରାଙ୍କ ନେତୃତ୍ୱରେ ଟ୍ରକ ମାଲିକ ମାନେ ଛେଣ୍ଡିପଦା ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଏନେଇ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ଦାବି ପତ୍ର ପ୍ରଦାନ ବେଳେ ସଙ୍ଘର ସମ୍ପାଦକ ସୁବୋଧ କୁମାର ବେହେରା, କୋଷାଧ୍ୟକ୍ଷ ନୃସିଂହ ଦେହୁରୀ, ଦୀପକ ପ୍ରଧାନ, ରବିନାରାୟଣ ଆଚାର୍ଯ୍ୟ, ସୁରକ୍ଷା ଚନ୍ଦନ, ମିଲୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।