ଅନୁଗୁଳ: ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ଏକ ସଚେତନତା ରଥ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ବୁଧବାର ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସବୁଜ ପତାକା ଦେଖାଇ ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ । ଯକ୍ଷ୍ମା ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଏହି ରଥ ସଚେତନତା ସୃଷ୍ଟି କରିବ । ଏଥିସହ ଜିଲ୍ଲାର ସମସ୍ତ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ମାଗଣାରେ ପରୀକ୍ଷା, ଚିକିତ୍ସା ସହ ପୁଷ୍ଟିକର ଖାଦ୍ୟ ପାଇଁ ସହାୟତା ଉପଲବ୍ଧ କରାଇବ । ଯକ୍ଷ୍ମା ହାରିବ, ଦେଶ ଜିତିବ’ ଏହି ବାର୍ତ୍ତା ନେଇ ରଥ ଜିଲ୍ଲା ପରିକ୍ରମାରେ ବାହାରିଥିବା ଜଣାଯାଇଛି । ଅନୁଗୁଳ ଜିଲ୍ଲାରେ ୨୦୧୮ ମସିହାରେ ୧୧୬୦ ଜଣ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିଲେ । ସେହିପରି ୨୦୧୯ରେ ୧୨୩୩୫ ଓ ଗତବର୍ଷ ୯୯୨ ଜଣ ଯକ୍ଷ୍ମାରୋଗୀଙ୍କୁ ଚିହ୍ନଟ କରାଯାଇଥିଲା ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜଣାପଡ଼ିଛି । ୨୦୧୯ ମସିହାରେ ଜିଲ୍ଲାର ୬ ଜଣ ବ୍ୟକ୍ତି ଯକ୍ଷ୍ମା ରୋଗରେ ପୀଡିତ ହୋଇ ମୃତ୍ୟୁ ମୁଖରେ ପଡ଼ିଥିବା ବେଳେ ୨୦୨୦ରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଶୁଭାରମ୍ଭ ସମୟରେ ସିଡିଏମଓ ଡ଼ା, ଅଭୟ କୁମାର ଦାଶ, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡା. ବିଶ୍ୱ ବିହାରୀ ମହାନ୍ତି, ଏଡିଏମଓ (ମେଡିକାଲ) ଡା. ମାନସ ରଞ୍ଜନ ବିଶ୍ୱାଳ, ଏଡିଏମଓ (ପିଏଚ) ଡା. ଧନଞ୍ଜୟ ବେହେରା, ଡିପିଏମ (ଏନ୍ଏଏମ୍) ବିଶ୍ୱରଞ୍ଜନ ରଥ, ଡିପିସି ବାବୁଲି କୁମାର ପ୍ରଧାନ, ପିପିଏସି ସୁନୀଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।