ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକ ଅନ୍ତର୍ଗତ ତୁରଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତୁରଙ୍ଗ ସରପଞ୍ଚ ସମରେନ୍ଦ୍ର ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଛାତ୍ରଛାତ୍ରୀଙ୍କୁ ସମୟର ସଦୁପଯୋଗ କରିବା ସହ ନିଜ ରୁଚି ଅନୁସାରେ ପାଠପଢ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ଶ୍ରେଷ୍ଠ ହେବାକୁ ପରାମର୍ଶ ଦେଇଥିଲେ।
ମୁଖ୍ୟବକ୍ତା ଭାବେ ବଅଁରପାଳ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶୀଲ କୁମାର ନାଏକ ଯୋଗଦେଇ ପିଲାମାନଙ୍କୁ ସକାରାତ୍ମକ ଚିନ୍ତାଧାରା ରଖିବା ଓ ଜୀବନରେ କିଛି ସ୍ୱତନ୍ତ୍ର କରିବା ପାଇଁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ଏବିଓ ସୁଷମା ପଟ୍ଟନାୟକ, ବିଆରଟି ମଧୁସୂଦନ ସାହୁ, ସିଆରସିସି କୁମୁଦ ଚନ୍ଦ୍ର ଭୋଇ, କିଶୋର ଚନ୍ଦ୍ର ସାହୁ, ପରିଚାଳନା କମିଟି ସଭାପତି ଟୁକୁନ କୁମାର ସାମଲ ଓ ସନ୍ତୋଷ କୁମାର ଥମ୍ବ ପ୍ରମୁଖ ଉପସ୍ଥିତ ଥିଲେ।ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ପାରମ୍ପରିକ ଓ ଆଧୁନିକ ନୃତ୍ୟ ପରିବେଷଣ କରାଯାଇଥିଲା। ପୂର୍ବରୁ ଆୟୋଜିତ ବିଭିନ୍ନ କ୍ରୀଡ଼ା ଓ ଶୈକ୍ଷିକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ପ୍ରଧାନ ଶିକ୍ଷକ ବିଦ୍ୟାଳୟର ପ୍ରଗତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଥିଲେ। ଶିକ୍ଷକ ଶଶାଙ୍କ ଶେଖର ନାଥ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷୟିତ୍ରୀ ଅନସୁୟା ସିଂହସାମନ୍ତ, ପୂଜା ବେହେରା, ସ୍ୱାଗତୀ ଶୁଭଦର୍ଶିନୀ ଓ ସସ୍ମିତା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ କାଦମ୍ବିନୀ ଦାସ ଓ ବୀଣାପାଣି ସାହୁ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ସଂଘମିତ୍ରା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।