ମୁଖ୍ୟ ଖବର

ଆଜିଠୁ ଟ୍ବିଟର ବ୍ଲୁ ଟିକ୍ ସବସ୍କ୍ରିପସନ ପୁଣି ଆରମ୍ଭ, ଏବେ ଏଡିଟ୍ ବି କରିହେବ ଟ୍ବିଟ୍

By Angul TV Bureau

December 12, 2022

ଭୁବନେଶ୍ୱର: ଆଜିଠାରୁ ପୁଣି ଥରେ ୟୁଜରମାନଙ୍କ ପାଇଁ ବ୍ଲୁ ଟିକ୍ ସବସ୍କ୍ରିପସନ ଲଞ୍ଚ କରୁଛି ଟ୍ବିଟର। ଏହି ସର୍ଭିସ ଲଞ୍ଚ ହେବା ପରେ ଏଣିକି ୟୁଜର୍ସ ପେମେଣ୍ଟ କରି ବ୍ଲୁ ଟିକ୍ ହାସଲ କରିପାରିବେ। ବ୍ଲୁ ଟିକ୍ ସବସ୍କ୍ରିପସନ ମିଳିବା ପରେ ୟୁଜରଙ୍କୁ ଟ୍ବିଟର କଣ୍ଟେଣ୍ଟ ଏଡିଟ୍ ବ୍ୟତୀତ ଅନେକ ସୁବିଧା ମିଳିବ। ତେବେ ଆପଲ ଆଇଓଏସ ୟୁଜର୍ସଙ୍କ ପାଇଁ ଏହି ସେବା ବ୍ୟୟ ବହୁଳ ରହିବ। ଟ୍ବିଟର ଓ୍ବେବ୍ ପାଇଁ ଏହି ସେବା ୮ ଡଲାର ପ୍ରତି ମାସ ଥିବା ବେଳେ ଆଇଓଏସ ପାଇଁ ମାସିକ ୧୧ ଡଲାର ପେମେଣ୍ଟ ରହିଛି।

ତେବେ କମ୍ପାନୀର ନୂଆ ପଲିସି ଅନୁଯାୟୀ, ଏବେ ଟ୍ବିଟର ୟୁଜରଙ୍କ ଆକାଉଣ୍ଟର ସମୀକ୍ଷା କରାଯିବ। କେବଳ ଭେରିଫାଇ ଫୋନ୍ ନମ୍ବର ଥିବା ୟୁଜରଙ୍କୁ ହିଁ ଏହି ସେବା ମିଳିବ। ଏଥିପାଇଁ ଟ୍ବିଟର କର୍ମଚାରୀ ମଧ୍ୟ ଆକାଉଣ୍ଟର ସମୀକ୍ଷା କରିବେ। ଭେରିଫିକେସନ ପରେ ୟୁଜର୍ସଙ୍କୁ ବ୍ଲୁ ଟିକ୍ ଦିଆଯିବ। ଏହା ସହ ୟୁଜରଙ୍କୁ ଟ୍ବିଟ୍‌ର କଣ୍ଟେଣ୍ଟକୁ ଏଡିଟ୍ କରିବା ଅପ୍ସନ ମିଳିବ। ଏହା ବ୍ୟତୀତ ଫୁଲ୍ ଏଚଡି ଭିଡିଓ ମଧ୍ୟ ଅପଲୋଡ କରିପାରିବେ। ଏହା ସହ ଲମ୍ବା ଟ୍ବିଟ୍ ମଧ୍ୟ କରିପାରିବେ। ସବସ୍କ୍ରିପସନ ନେଇଥିବା ୟୁଜରଙ୍କୁ ୫୦ ପ୍ରତିଶତ କମ୍ ବିଜ୍ଞାପନ ଦେଖାଯିବ। ପ୍ରକାଶ ଯେ କମ୍ପାନୀ ଅଧିଗ୍ରହଣ କରିବା ପରେ ନୂଆ ମାଲିକ ଏଲନ ମସ୍କ ବାରମ୍ବାର ନୂଆ ଅପଡେଟ୍ ଆଣୁଛନ୍ତି।