ପାଲଲହଡା: ଗତ ସୋମବାର ବିଳମ୍ବିତ ରାତିରେ ପାଳଲହଡା ଥାନା ଶିଗଡ ପଞ୍ଚାୟତ କମ୍ପରକିଳାଠାରେ ଥିବା ଏକ ଠିକା କ୍ୟାମ୍ପରୁ ଅପହୃତ ଦୁଇ ଜଣ ସୁପରଭାଇଜାର ଶୁକ୍ରବାର ଫେରିଛନ୍ତି। ଅପହରଣର ତିନି ଦିନ ପରେ ଓଡିଶା- ଝାଡ଼ଖଣ୍ଡ ସୀମାରେ ଅପହର୍ତା ସେମାନଂକୁ ଛାଡ଼ି ଦେଇଥିଲେ। ପୋଲିସ ଏମାନଙ୍କୁ ଉଦ୍ଧାର କରିବା ସହ ଘଟଣା ସଂପର୍କରେ ପଚରାଉଚୁରା ଚଲାଇଛି। ସୂଚନା ଯୋଗ୍ୟ, ପାଲଲହଡା ଥାନାଠାରୁ ମାତ୍ର ୪ କିଲୋମିଟର ଦୂର କମ୍ପରକିଳା ଗ୍ରାମ ନିକଟସ୍ଥ ମାଙ୍କଡା ନାଳ ଉପରେ ଏକ ପୋଲ ନିର୍ମାଣାଧୀନ ରହିଛି। ଠିକା ସଂସ୍ଥାର ଦୁଇ ସୁପର ଭାଇଜର ସନାତନ ବେହେରା ଓ ନରୋତ୍ତମ ବିଶ୍ୱାଳଙ୍କ ସମେତ ୧୦ ଜଣ ଶ୍ରମିକ କର୍ମଚାରୀ କ୍ୟାମ୍ପ ରେ ରହୁଥିଲା ବେଳେ ଗତ ସୋମବାର ବିଳମ୍ବିତ ରାତିରେ ଦୁଇଟି ଗାଡିରେ ୧୦ ରୁ ୧୨ ଜଣ ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ମୁନରେ ଦୁଇ ସୁପର୍ ଭାଇଜରଙ୍କୁ ଉଠାଇ ନେଇଥିଲେ। ଠିକାଦାର ଗିରିଶ ସ୍ବାଇଁ ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଦୁଇଟି ଟିମ ଗଠନ କରି ଘଟଣାର ତଦନ୍ତ ଚଳାଇଥିଲେ । ଆୟ ଆଜି ଉଭୟ ଫେରିବା ପରେ ସ୍ୱତନ୍ତ୍ର ପୋଲିସ ଟିମ ଉଭୟଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରୁଥିବା ଜଣା ପଡ଼ିଛି । ଅପହରଣ ପରେସନାତନ ଏବଂ ନରୋତମଙ୍କୁ ଦୁର୍ବୃତ୍ତ ମାନେ ଝାଡ଼ଖଣ୍ଡ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲାଇଥିଲେ ଏବଂ ତିନିଦିନ ପରେ ଶୁକ୍ରବାର ଓଡିଶା ଝାଡ଼ଖଣ୍ଡ ସୀମାରେ ଉଭୟଙ୍କୁ ଛାଡି ଦେଇଥିବା ଜଣା ପଡିଛି ।ଦୁର୍ବୃତ୍ତ ମାନେ ବଟି ଆଦାୟ ପାଇଁ ଏଭଳି ଅପହରଣ କରିଥିବା ଏବଂ ବଟି ମିଳିବା ପରେ ଅପହର୍ତ୍ତା ମାନଙ୍କୁ ଛାଡି ଦେଇଥିବା ସନ୍ଦେହ କରାଯାଉଛି। ତେବେ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କୁହା ଯାଇଛି।